Breaking
News
Breaking
News
06-Sep-2026
ପୋଲସରା ଡିଏମପିଏସରେ ଜ୍ଞାନ ବିଜ୍ଞାନ ମେଳା - ୨୦୨୬-୨୦୨୭।
ଓଡ଼ିଶା ଜନମତ ପୋଲସରା,ସନ୍ତୋଷ କୁମାର ପଣ୍ଡା,
ତା: ୦୬-୧-୨୦୨୬: - ----
ପୋଲସରା ଦାଶରଥି ନଗର ବ୍ଲକ୍ ଛକ ସ୍ଥିତ ଦୀପକ ମେମୋରିଆଲ୍ ପବ୍ଲିକ ସ୍କୁଲରେ ଜ୍ଞାନ ବିଜ୍ଞାନ ମେଳା-୨୦୨୬-୨୦୨୭ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ରଥଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଏବଂ ଅନୁଷ୍ଠାନର ସଭାପତି ତଥା ବିଶିଷ୍ଟ ଶିକ୍ଷାବିତ୍ ଭବାନୀ ଶଙ୍କର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି। ମେଳାରେ ୟୁ କେଜିରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୪୫ ଜଣ ଛାତ୍ରଛାତ୍ରୀମାନେ ବିଜ୍ଞାନ, କଳା ଓ ପୋଷଣ ଖାଦ୍ୟକୁ ନେଇ ଆୟୋଜିତ ମେଳାରେ ଭାଗନେଇ ବିଭିନ୍ନ ପ୍ରକଳ୍ପ ପ୍ରଦର୍ଶନ କରିବାର ସୁଯୋଗ ପାଇଥିଲେ। ଏଥିରେ ବିଚାରକ ଭାବେ ପୋଲସରା ପିଏମଶ୍ରୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ଡଃ- ଅମ୍ରେଶ ପଟ୍ଟନାୟକ, ସ୍ଥାନୀୟ ପ୍ରତିଷ୍ଠିତ ଶିକ୍ଷାବିତ୍ ଲିଙ୍ଗରାଜ ବାଳିକା ହାଇସ୍କୁଲର ଶିକ୍ଷକ ଅମୀୟ ପ୍ରସାଦ ସାହୁ, ସ୍ଥାନୀୟ ବିଜ୍ଞାନ ମହାବିଦ୍ୟାଳୟର ଉଦ୍ଭିଦ ବିଜ୍ଞାନ ବିଭାଗ ଅଧ୍ୟାପକ ଦେବାଶିଷ ସ୍ୱାଇଁ, ଗଙ୍ଗାଧର ସାହୁ ବିଜ୍ଞାନ ମହାବିଦ୍ୟାଳୟ ହାତୀଓଟର ଅଧ୍ୟାପିକା ଜାନକୀ କୁମାରୀ ସାହୁ ପ୍ରମୁଖ ଯୋଗଦେଇଥିଲେ।
ଏହି ଅବସରରେ କାର୍ଯ୍ୟକ୍ରମକୁ ଉକ୍ତ ସମସ୍ତ ଅତିଥିବୃନ୍ଦଙ୍କ ଉପସ୍ଥିତିରେ ସଭାପତି ମହୋଦୟ ଶ୍ରୀ ଗଣେଶଙ୍କ ପ୍ରତିମୂର୍ତ୍ତିରେ ଭକ୍ତିପୂତ ଭାବେ ପୁଷ୍ପମାଲ୍ୟାର୍ପଣ ଏବଂ ପ୍ରଦୀପ ପ୍ରଜ୍ଜ୍ୱଳନ କରିବା ପରେ ଫିତାକାଟି ଶୁଭ ଉଦଘାଟନ କରିଥିଲେ। ପରେ ମେଳାରେ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀମାନଙ୍କୁ ମେଳାର ତାତ୍ପର୍ଯ୍ୟ, ମହତ୍ତ୍ୱ ଉପରେ ବୁଝାଯିବା ସହ ସେମାନଙ୍କର ସଫଳତା ଶୁଭକାମନା କରାଯାଇଥିଲା। ପରେ ବିଚାରକମଣ୍ଡଳୀ ପ୍ରଦର୍ଶନୀରେ ବୁଲି ପ୍ରତିଯୋଗୀମାନଙ୍କ ଠାରୁ ପ୍ରକଳ୍ପର ବିଷୟ ଉପରେ ପଚାରି ବୁଝିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ବିଜ୍ଞାନ ବିଚାରମଣ୍ଡଳୀଙ୍କ ଦ୍ୱାରା ସବ୍ ଜୁନିୟର, ଜୁନିୟର ଓ ସିନିୟର ବିଭାଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ମୋଟ ୭୨ ଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବାକୁ ଚୟନ କରିଥିଲେ। ଏହି କୃତିତ୍ୱ ହାସଲକାରି ମେଧା ଛାତ୍ରଛାତ୍ରୀଙ୍କୁ ଆଗାମୀ ଡିସେମ୍ବର ମାସରେ ହେବାକୁ ଥିବା ବାର୍ଷିକ ଉତ୍ସବରେ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯିବ। କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ସହକର୍ମୀ ଓ ଅଭିଭାବକ ମଣ୍ଡଳୀ ଉପସ୍ଥିତ ରହି ସହଯୋଗ କରିଥିବାରୁ ଶେଷରେ ସଭାପତି ମହୋଦୟ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ ଅର୍ପଣ କରିଥିଲେ।
BACK TO TOP