Breaking
News
Breaking
News
10-Sep-2026
ଲୁକାୟିତ କଳାକୁ ବଜାର ଦେବା ଉପରେ ଗୁରୁତ୍ୱ,
ବାଉଁଶ, କାଠ ଓ ମାଟିର ପାରମ୍ପରିକ ସାମଗ୍ରୀ ରାଜ୍ୟ ବାହାରେ ବିକ୍ରି ନେଇ ଆଲୋଚନା
ଓଡିଶା ଜନମତ ରାୟଗଡା ୯/୯,
କାମେଶ୍ୱର କରକରିଆ :-----
ରାୟଗଡ଼ା ଜିଲ୍ଲା କଲନରା ବ୍ଲକ ଗୋପାଳବାଡ଼ି ଅନ୍ତର୍ଗତ ଦଂଦେଲି ପଞ୍ଚାୟତରେ ଆଜି ଲୁକାୟିତ କଳା ଓ ପାରମ୍ପରିକ ହସ୍ତଶିଳ୍ପକୁ ବ୍ୟାପକ ବଜାର ଯୋଗାଇବା ନେଇ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ଖଦି ମଣ୍ଡଳ ସଭାପତି ଅରବିନ୍ଦ ବର୍ମା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାରମ୍ପରିକ କଳାକାର ଓ କାରିଗରଙ୍କ ଉତ୍ପାଦିତ ସାମଗ୍ରୀକୁ ଉଚିତ ବଜାର ଯୋଗାଇବା ଉପରେ ଗୁରୁତ୍ୱାରୋପ କରିଥିଲେ।ସମ୍ମିଳନୀରେ ଅଞ୍ଚଳରେ ରହିଥିବା ଲୁକାୟିତ ପ୍ରତିଭା ଓ ପାରମ୍ପରିକ କଳାକୁ ଚିହ୍ନଟ କରି ଏହାକୁ ଲୋକଲୋଚନକୁ ଆଣିବା ସହ ଏହି କଳାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ନେଇ ଆଲୋଚନା ହୋଇଥିଲା। ବିଶେଷକରି ବାଉଁଶରେ ତିଆରି ବିଭିନ୍ନ ସାମଗ୍ରୀ, କାଠରେ ପ୍ରସ୍ତୁତ ହସ୍ତଶିଳ୍ପ ଓ କୁମ୍ଭାରଙ୍କ ହାତରେ ତିଆରି ମାଟି ସାମଗ୍ରୀର ଚାହିଦା ବଢ଼ାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କାରିଗରମାନେ ପାରମ୍ପରିକ ପ୍ରଣାଳୀରେ ଦୀର୍ଘଦିନ ଧରି ବିଭିନ୍ନ ଉପଯୋଗୀ ଓ ଆକର୍ଷଣୀୟ ସାମଗ୍ରୀ ପ୍ରସ୍ତୁତ କରୁଥିଲେ ମଧ୍ୟ ଉଚିତ ବଜାର ଅଭାବରୁ ଏହାର ଲାଭ ସେମାନଙ୍କୁ ମିଳିପାରୁନାହିଁ। ତେଣୁ ସ୍ଥାନୀୟ ଅଞ୍ଚଳରେ ବଜାର ସୃଷ୍ଟି କରିବା ସହ ରାଜ୍ୟର ବିଭିନ୍ନ ସ୍ଥାନ ଏବଂ ରାଜ୍ୟ ବାହାରକୁ ମଧ୍ୟ ଏହି ସାମଗ୍ରୀ ବିକ୍ରି ପାଇଁ ପଠାଇବା ନେଇ ପଦକ୍ଷେପ ନିଆଯିବା ଆବଶ୍ୟକ ବୋଲି ସମ୍ମିଳନୀରେ ମତପ୍ରକାଶ ପାଇଥିଲା।
ଏହାଦ୍ୱାରା ଅଞ୍ଚଳର ପାରମ୍ପରିକ କଳା ଓ ସଂସ୍କୃତିର ସୁରକ୍ଷା ସହ କାରିଗର ଓ ଶିଳ୍ପୀମାନଙ୍କ ଆୟ ବୃଦ୍ଧି ହୋଇପାରିବ। ଯୁବପିଢ଼ି ମଧ୍ୟ ଏହି ପାରମ୍ପରିକ କଳା ପ୍ରତି ଆକୃଷ୍ଟ ହୋଇ ନିଜ ଅଞ୍ଚଳରେ ରୋଜଗାରର ସୁଯୋଗ ପାଇପାରିବେ ବୋଲି ଆଲୋଚନା ହୋଇଥିଲା। ସ୍ଥାନୀୟ କଳାକାରଙ୍କ ଉତ୍ପାଦକୁ ଆଧୁନିକ ବଜାର ସହ ଯୋଡ଼ିବା, ଉନ୍ନତ ଡିଜାଇନ୍ ଓ ପ୍ୟାକେଜିଂ ମାଧ୍ୟମରେ ବଜାରକରଣ କରିବା ସହ ଅନଲାଇନ୍ ଓ ଅଫ୍ଲାଇନ୍ ବିକ୍ରିର ସୁଯୋଗ ସୃଷ୍ଟି କରିବା ଦିଗରେ ମଧ୍ୟ ଆଲୋଚନା ହୋଇଥିଲା। ଅଞ୍ଚଳର ଏହି ଲୁକାୟିତ କଳାକୁ ବ୍ୟାପକ ପରିଚୟ ଦେବା ସହ କାରିଗରଙ୍କ ଉତ୍ପାଦକୁ ଅଧିକରୁ ଅଧିକ ବିକ୍ରି କରିବା ହିଁ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଇଥିଲା।
BACK TO TOP