Breaking
News
Breaking
News
27-Oct-2026
ପୋଖରୀ ଗାର୍ଡୱାଲ୍ ନିର୍ମାଣକୁ ନେଇ ବିବାଦ|
ଅଧାରୁ କାମ ବନ୍ଦ କଲେ ଗ୍ରାମବାସୀ, ମଜବୁତ ବେସ୍ ନିର୍ମାଣ ପାଇଁ ଦାବି
ପୂର୍ବରୁ ଧସିଥିଲା ପାଚେରି, ନିର୍ମାଣର ଗୁଣବତ୍ତାକୁ ନେଇ ଉଠିଲା ପ୍ରଶ୍ନ|
ଓଡିଶା ଜନ ମତ,ହିଞ୍ଜିଳିକାଟୁ, ୨୭/୧୦, କୃଷ୍ ଚନ୍ଦ୍ରସାମନ୍ତର :----
ନିର୍ମାଣରେ ତ୍ରୁଟି ଯୋଗୁଁ ପୂର୍ବରୁ ଧସିପଡ଼ିଥିଲା ପୋଖରୀର ସୁରକ୍ଷା ପାଚେରି। ଏବେ ପୁନର୍ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ମଜବୁତ ଭିତ୍ତି ବା କଂକ୍ରିଟ୍ ବେସ୍ ନିର୍ମାଣକୁ ନେଇ ଉଠିଛି ପ୍ରଶ୍ନ। ଏହାକୁ କେନ୍ଦ୍ର କରି ହିଞ୍ଜିଳିକାଟୁ ବ୍ଲକ୍ ଶିକିରି ପଞ୍ଚାୟତ ଅନ୍ତର୍ଗତ ନୂଆବନ୍ଧ ପୋଖରୀର ଗାର୍ଡୱାଲ୍ ନିର୍ମାଣ କାର୍ଯ୍ୟକୁ ସୋମବାର ଗ୍ରାମବାସୀ ବନ୍ଦ କରିଦେଇଛନ୍ତି। ପୋଖରୀର ସ୍ଥାୟୀ ସୁରକ୍ଷା ସହ ନିର୍ମାଣର ଗୁଣବତ୍ତା ସୁନିଶ୍ଚିତ କରିବାକୁ ସେମାନେ ଦାବି କରିଛନ୍ତି।
ସୂଚନା ଅନୁଯାୟୀ, ଶିକିରି ବିନାୟକ ପାଟଣା ନିକଟରେ ଥିବା ନୂଆବନ୍ଧ ପୋଖରୀର ସୁରକ୍ଷା ପାଚେରି ପୂର୍ବରୁ ଧସିପଡ଼ିଥିଲା। ଏହାର ପୁନର୍ନିର୍ମାଣ ପାଇଁ ଏବେ କାର୍ଯ୍ୟ ଆରମ୍ଭ ହୋଇଛି। ତେବେ ପୂର୍ବରୁ ପାଚେରି ଧସିବାର କାରଣ ଓ ନିର୍ମାଣର ସ୍ଥାୟୀତ୍ୱକୁ ନେଇ ଚିନ୍ତା ପ୍ରକାଶ କରି ଗ୍ରାମବାସୀ ପୋଖରୀର ମୂଳରୁ ମଜବୁତ କଂକ୍ରିଟ୍ ବେସ୍ ନିର୍ମାଣ କରିବାକୁ ଦାବି କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବରୁ ନିର୍ମାଣ ହୋଇଥିବା ପାଚେରିର ଗୁଣବତ୍ତା ଓ ନିର୍ମାଣ ପ୍ରଣାଳୀକୁ ନେଇ ଯାଞ୍ଚ ହେବା ଆବଶ୍ୟକ। ଗ୍ରାମବାସୀଙ୍କ ଆହୁରି ଅଭିଯୋଗ ହେଉଛି, ପାଚେରି ନିର୍ମାଣ ସମୟରେ ବିଭାଗୀୟ ଯନ୍ତ୍ରୀଙ୍କ ଉପସ୍ଥିତି ନିୟମିତ ରହୁନାହିଁ। ଫଳରେ ନିର୍ମାଣ କାର୍ଯ୍ୟର ମାନ ଓ ତଦାରଖକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ତେଣୁ ପୂର୍ବରୁ ହୋଇଥିବା ତ୍ରୁଟିର ପୁନରାବୃତ୍ତି ନକରି ପୋଖରୀର ସୁରକ୍ଷା ପାଚେରିକୁ ମଜବୁତ ଭିତ୍ତି ଉପରେ ନିର୍ମାଣ କରିବା ସହ କାର୍ଯ୍ୟର ଗୁଣବତ୍ତା ଯାଞ୍ଚ କରିବାକୁ ସେମାନେ ଅଡ଼ି ବସିଛନ୍ତି। ଅନ୍ୟପକ୍ଷରେ, ଗ୍ରାମବାସୀଙ୍କ ଦାବି ଅନୁଯାୟୀ ନିର୍ମାଣ କାର୍ଯ୍ୟରେ ପରିବର୍ତ୍ତନ ଆଣିବା ପାଇଁ ନୂତନ ଅଟକଳ, ପ୍ରଶାସନିକ ଅନୁମୋଦନ ଓ ଅର୍ଥ ମଞ୍ଜୁରୀ ଆବଶ୍ୟକ ବୋଲି ବିଡିଓ ସାଗରିକା ଷଡ଼ଙ୍ଗୀ ଓ ଯନ୍ତ୍ରୀ ଡି. ଅଶୋକ କହିଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ଅଧିକାରୀମାନେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିବାବେଳେ ଆବଶ୍ୟକ ଅନୁମୋଦନ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି।
ପୋଖରୀର ସୁରକ୍ଷା ଓ ସୌନ୍ଦର୍ଯ୍ୟକରଣ ନାମରେ ହେଉଥିବା ନିର୍ମାଣ କାର୍ଯ୍ୟ ଦୀର୍ଘସ୍ଥାୟୀ ହେବା ଆବଶ୍ୟକ। ତେଣୁ ପୁନର୍ନିର୍ମାଣ କାର୍ଯ୍ୟରେ ଯେପରି କୌଣସି ତ୍ରୁଟି ନରହେ, ସେଥିପାଇଁ ବିଭାଗୀୟ ତଦାରଖ ଓ ଗୁଣବତ୍ତା ଯାଞ୍ଚ ଉପରେ ଗୁରୁତ୍ୱ ଦେବାକୁ ଦାବି ହୋଇଛି। ଗଂଜାମ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।
BACK TO TOP