Breaking
News
Breaking
News
27-Oct-2026
ଅର୍ଣ୍ଣବ ବାତ୍ୟାକୁ ନେଇ ସତର୍କ ପ୍ରଶାସନ
ନଦୀକୂଳିଆ ଗାଁରେ ପହଞ୍ଚିଲେ ଅଧିକାରୀ, ଆବଶ୍ୟକ ପଡ଼ିଲେ ବିଦ୍ୟାଳୟରେ ମିଳିବ ଆଶ୍ରୟ ଓ ଖାଦ୍ୟ
ଓଡିଶା ଜନମତ ରାୟଗଡା , ୨୭/୧୦
କାମେଶ୍ୱର କରକରିଆ :----
ସମ୍ଭାବ୍ୟ ଓର୍ଣ୍ଣାବ ବାତ୍ୟାକୁ ଆଖି ଆଗରେ ରଖି ସତର୍କ ହୋଇଛି ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକ ପ୍ରଶାସନ। ବାତ୍ୟା ସହ ବର୍ଷା ଓ ନଦୀରେ ଜଳସ୍ତର ବୃଦ୍ଧି ହେବାର ଆଶଙ୍କାକୁ ନେଇ ନଦୀକୂଳିଆ ଗ୍ରାମଗୁଡ଼ିକର ଲୋକଙ୍କୁ ସଚେତନ କରାଯାଉଛି। ବିପଦ ସମୟରେ ନିଜ ଜୀବନ ରକ୍ଷାକୁ ପ୍ରାଥମିକତା ଦେଇ ନିରାପଦ ସ୍ଥାନକୁ ଚାଲିଯିବା ସହ ଆବଶ୍ୟକ ପଡ଼ିଲେ ନିକଟସ୍ଥ ବିଦ୍ୟାଳୟରେ ଆଶ୍ରୟ ନେବାକୁ ପ୍ରଶାସନ ପକ୍ଷରୁ ଲୋକଙ୍କୁ ବୁଝାଯାଉଛି। ସୋମବାର ସ୍ଥାନୀୟ ତହସିଲଦାର ରଞ୍ଜନ କୁମାର ମାନସେଠ, ଅତିରିକ୍ତ ତହସିଲଦାର ଅନାଦି ଚରଣ ଶବର ଏବଂ ରାଜସ୍ୱ ନିରୀକ୍ଷକଙ୍କ ସମେତ ରାଜସ୍ୱ ବିଭାଗର କର୍ମଚାରୀମାନେ କଲ୍ୟାଣସିଂହପୁର, ମାଝୀଗୁଡ଼ା, ବୁଡ଼ାଗୁଡ଼ା, ଶିକରପାଇ, ସୁନାଖଣ୍ଡି ଓ ସିଙ୍ଗାରି ପଞ୍ଚାୟତର ବିଭିନ୍ନ ଗ୍ରାମ ପରିଦର୍ଶନ କରିଥିଲେ। ଗ୍ରାମବାସୀଙ୍କ ସହ ଆଲୋଚନା କରି ବାତ୍ୟା ସମୟରେ ସତର୍କ ରହିବା, ନଦୀ ଓ ନାଳ ନିକଟକୁ ନଯିବା ଏବଂ ପରିସ୍ଥିତି ଗମ୍ଭୀର ହେଲେ ବିଳମ୍ବ ନକରି ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ପରାମର୍ଶ ଦେଇଥିଲେ। ପ୍ରଶାସନ ପକ୍ଷରୁ ଲୋକଙ୍କୁ ଆଶ୍ୱାସନା ଦିଆଯାଇଛି ଯେ, ଆବଶ୍ୟକ ପଡ଼ିଲେ ନିକଟସ୍ଥ ବିଦ୍ୟାଳୟଗୁଡ଼ିକରେ ଆଶ୍ରୟ ନେବାର ବ୍ୟବସ୍ଥା କରାଯିବ। ସେଠାରେ ଆଶ୍ରୟ ନେଉଥିବା ଲୋକଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା ମଧ୍ୟ କରାଯିବ ବୋଲି ଅଧିକାରୀମାନେ କହିଛନ୍ତି। ବିଶେଷକରି ନଦୀକୂଳରେ ରହୁଥିବା ପରିବାର, ବୟସ୍କ ବ୍ୟକ୍ତି, ଶିଶୁ ଓ ଅସୁସ୍ଥ ଲୋକଙ୍କ ସୁରକ୍ଷା ଉପରେ ସତର୍କ ରହିବାକୁ ସଚେତନ କରାଯାଉଛି। ଉଲ୍ଲେଖଯୋଗ୍ୟ ୨୦୧୭ ଜୁଲାଇ ୧୬ ତାରିଖରେ ହୋଇଥିବା ପ୍ରବଳ ବର୍ଷା ଯୋଗୁଁ ନାଗାବଳୀ ଓ କଲ୍ୟାଣୀ ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସି କଲ୍ୟାଣସିଂହପୁର ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସେହି ଭୟଙ୍କର ବନ୍ୟାର ସ୍ମୃତି ଆଜି ମଧ୍ୟ ଅଞ୍ଚଳବାସୀଙ୍କ ମନରୁ ଲିଭିନାହିଁ। ତେଣୁ ସମ୍ଭାବ୍ୟ ବାତ୍ୟାକୁ ନେଇ ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତା ଓ ଥଇଥାନ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ଜଣାପଡ଼ିଛି। ବାତ୍ୟାର ପ୍ରଭାବ ଓ ପାଣିପାଗର ସ୍ଥିତିକୁ ଦୃଷ୍ଟିରେ ରଖି ନଦୀକୂଳିଆ ଗ୍ରାମବାସୀଙ୍କ ପାଇଁ ଦୁଇଦିନିଆ ପ୍ରସ୍ତୁତି ଓ ଆଶ୍ରୟ ବ୍ୟବସ୍ଥା ରଖାଯାଇଥିବା ସୂଚନା ମିଳିଛି। ଏବେ ସମସ୍ତଙ୍କ ନଜର ପ୍ରଶାସନର ପ୍ରସ୍ତୁତି ଓ ବାତ୍ୟାର ପ୍ରଭାବ ଉପରେ ରହିଛି। ତେବେ ବିପଦ ସମୟରେ ଗୁଜବକୁ ବିଶ୍ୱାସ ନକରି ପ୍ରଶାସନର ନିର୍ଦ୍ଦେଶ ମାନିବା ସହ ସତର୍କ ରହିବାକୁ ଅଞ୍ଚଳବାସୀଙ୍କୁ ଆହ୍ୱାନ ଦିଆଯାଇଛି।
BACK TO TOP