Breaking
News
Breaking
News
23-Oct-2026
ଦଶହରା ସରିଲା, ମା’ ଦୁର୍ଗାଙ୍କୁ ଭାବପୂର୍ଣ୍ଣ ବିଦାୟ
ଇନ୍ଦିରା ସ୍ମୃତି ସଦନରୁ ମା’ଙ୍କ ମୂର୍ତ୍ତି ବିସର୍ଜନ, ଭକ୍ତିମୟ ପରିବେଶରେ ଶେଷ ହେଲା ପୂଜା ଉତ୍ସବ
ଓଡିଶା ଜନମତ ରାୟଗଡା, ୨୩/୧୦ (କାମେଶ୍ୱର କରକରିଆ): ଘଣ୍ଟ, ଶଙ୍ଖଧ୍ୱନି, ବାଜାବାଜଣା ଓ ଭକ୍ତଙ୍କ ଜୟଧ୍ୱନିରେ ଉତ୍ସବମୁଖର ହୋଇଉଠିଥିବା କଲ୍ୟାଣସିଂହପୁର ସହରରେ ଶେଷ ହୋଇଛି ମା’ ଦୁର୍ଗାଙ୍କ ଦଶହରା ପୂଜା ଉତ୍ସବ। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରସ୍ଥିତ ଇନ୍ଦିରା ସ୍ମୃତି ସଦନଠାରେ ଆୟୋଜିତ ମୂର୍ତ୍ତି ପୂଜା ସହ ମା’ ଦୁର୍ଗା ମନ୍ଦିରରେ ମଧ୍ୟ ଧୁମ୍ଧାମରେ ଦଶହରା ପର୍ବ ପାଳନ କରାଯାଇଥିଲା। ଷଷ୍ଠୀଠାରୁ ଆରମ୍ଭ ହୋଇଥିବା ପୂଜାର୍ଚ୍ଚନା, ବିଭିନ୍ନ ଧାର୍ମିକ ରୀତିନୀତି, ହୋମଯଜ୍ଞ ଓ ଚଣ୍ଡୀପାଠ ପରେ ମା’ଙ୍କ ବିସର୍ଜନ ପର୍ବ ସହ ଚଳିତ ବର୍ଷର ଦୁର୍ଗାପୂଜା ସମାପନ ହୋଇଛି। ସୂଚନା ଅନୁଯାୟୀ, ଗତ ଶୁକ୍ରବାର ଷଷ୍ଠୀ ତିଥିରେ ଇନ୍ଦିରା ସ୍ମୃତି ସଦନଠାରେ ମୂର୍ତ୍ତି ପୂଜାର ଶୁଭାରମ୍ଭ ହୋଇଥିଲା। ପୂଜକ ବାପିନ ମିଶ୍ର (ଲାରା)ଙ୍କ ଦ୍ୱାରା ପାରମ୍ପରିକ ରୀତିନୀତି ଅନୁଯାୟୀ ବେଲବରଣ କରାଯିବା ସହ ଗଙ୍ଗା ଆହ୍ୱାନ କରି ସୁବାସିତ ଜଳପୂର୍ଣ୍ଣ କଳସ ଆଣି ପୂଜାମଣ୍ଡପରେ ସ୍ଥାପନ କରାଯାଇଥିଲା। ପରେ କର୍ତ୍ତା ଗୋପାଳ ନାୟକ ଓ ତାଙ୍କ ଧର୍ମପତ୍ନୀ ବାଜାବାଜଣା, ଶଙ୍ଖଧ୍ୱନି, ବାଣ ରୋଷଣି ଓ ଘୁମୁରା ନୃତ୍ୟର ତାଳେ ତାଳେ ମା’ ଦୁର୍ଗା ମନ୍ଦିର ପୀଠକୁ ଯାଇଥିଲେ। ସେଠାରେ ମା’ଙ୍କଠାରୁ ଆଜ୍ଞାମାଳ ଓ ଆଶୀର୍ବାଦ ଗ୍ରହଣ କରିବା ପରେ ପୂଜାମଣ୍ଡପରେ ମା’ଙ୍କ ମୂର୍ତ୍ତି ସ୍ଥାପନ କରାଯାଇ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା। ସେହିପରି ଶନିବାର ସପ୍ତମୀ ତିଥିରେ ମଣ୍ଡଳ ସ୍ଥାପନ, ଅଙ୍କୁରାରୋପଣ, ସୂର୍ଯ୍ୟପୂଜା, ଚଣ୍ଡୀପାଠ ଓ ବିଭିନ୍ନ ଦେବଦେବୀଙ୍କ ସହସ୍ରନାମ ପାଠ କରାଯାଇଥିଲା। ମା’ ଦୁର୍ଗାଙ୍କ ସମେତ ଗଣେଶ, କାର୍ତ୍ତିକ, ଲକ୍ଷ୍ମୀ ଓ ସରସ୍ୱତୀଙ୍କ ପୂଜାବିଧି ସମ୍ପନ୍ନ ହେବା ସହ ହୋମଯଜ୍ଞ ଆୟୋଜନ କରାଯାଇଥିଲା। ଅନ୍ୟପକ୍ଷରେ ମା’ ଦୁର୍ଗା ମନ୍ଦିରରେ ମା’ଙ୍କୁ କାଳରାତ୍ରୀ ବେଶରେ ସୁସଜ୍ଜିତ କରାଯାଇ ସ୍ୱତନ୍ତ୍ର ପୂଜାପାଠ, ଚଣ୍ଡୀପାଠ ଓ ସହସ୍ରନାମ ଜପ କରାଯାଇଥିଲା। ମନ୍ଦିରରେ ପାରମ୍ପରିକ ପଶୁବଳି ଦିଆଯାଇଥିଲା। ମୂର୍ତ୍ତି ପୂଜା ମଣ୍ଡପରେ ଆକର୍ଷଣୀୟ ମେଢ଼, ସୁନ୍ଦର ତୋରଣ ଓ ରଙ୍ଗବେରଙ୍ଗ ଆଲୋକସଜ୍ଜା ସହରର ଶୋଭା ବଢ଼ାଇଥିଲା। ଦୁଇଟି ସ୍ଥାନରେ ମା’ଙ୍କ ପୂଜା ଅନୁଷ୍ଠିତ ହେଉଥିବାରୁ ଭକ୍ତମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଦେଇଥିଲା। ପୂଜା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ପୂଜାକାର୍ଯ୍ୟ ଓ ଅନ୍ୟାନ୍ୟ ଆୟୋଜନକୁ ସୁଚାରୁରୂପେ ପରିଚାଳନା କରିଥିଲେ। ପୂଜା ଦିନଗୁଡ଼ିକରେ ଭକ୍ତି, ଶ୍ରଦ୍ଧା ଓ ଆଧ୍ୟାତ୍ମିକତାର ପରିବେଶ ସୃଷ୍ଟି ହୋଇଥିଲା। ଆଜି ମା’ଙ୍କ ବିସର୍ଜନ ପର୍ବ ଅବସରରେ ଭକ୍ତମାନେ ମା’ଙ୍କୁ ଭାବପୂର୍ଣ୍ଣ ବିଦାୟ ଜଣାଇଥିଲେ। ଦୀର୍ଘଦିନର ପୂଜାପର୍ବ ପରେ ମା’ଙ୍କ ମୂର୍ତ୍ତି ବିସର୍ଜନ ସହ ଚଳିତ ବର୍ଷର ଦୁର୍ଗାପୂଜା ଉତ୍ସବର ପରିସମାପ୍ତି ଘଟିଛି। ମା’ଙ୍କ ବିଦାୟ ସମୟରେ ଭକ୍ତଙ୍କ ମନରେ ଭାବାବେଗ ଦେଖାଦେଇଥିବା ବେଳେ ଆସନ୍ତା ବର୍ଷ ପୁଣି ମା’ଙ୍କ ଆଗମନକୁ ନେଇ ସମସ୍ତଙ୍କ ମନରେ ଆଶା ଓ ଅପେକ୍ଷା ରହିଛି। ମା’ ଦୁର୍ଗା ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ମଙ୍ଗଳ ଭରିଦିଅନ୍ତୁ ବୋଲି ଶ୍ରଦ୍ଧାଳୁମାନେ ପ୍ରାର୍ଥନା କରିଛନ୍ତି।
BACK TO TOP