Breaking
News
Breaking
News
23-Oct-2026
ରକ୍ତହୀନତାରେ ପୀଡ଼ିତ ରିତାଙ୍କ ମୃତ୍ୟୁ
କଲ୍ୟାଣସିଂହପୁରରେ କେବେ ହେବ ରକ୍ତ ଭଣ୍ଡାର? ବାରମ୍ବାର ଦାବି ପରେ ବି ମିଳୁନି ସମାଧାନ
ଓଡିଶା ଜନମତ ରାୟଗଡା,୨୩/୧୦,
କାମେଶ୍ୱର କରକରିଆ :----
ରକ୍ତହୀନତାରେ ପୀଡ଼ିତ ଜଣେ ୨୦ ବର୍ଷୀୟା ଯୁବତୀଙ୍କ ମୃତ୍ୟୁ ପରେ କଲ୍ୟାଣସିଂହପୁର ଅଞ୍ଚଳର ସ୍ୱାସ୍ଥ୍ୟସେବାକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି। ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତ ଅନ୍ତର୍ଗତ ଢେପାଗୁଡ଼ା ଗ୍ରାମର ଜଟିଆ ହିକକାଙ୍କ ଝିଅ ରିତା ହିକକାଙ୍କ ମୃତ୍ୟୁ ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି। ରିତା ଦେବଗିରି ମହାବିଦ୍ୟାଳୟରେ ଯୁକ୍ତତିନିରେ ଅଧ୍ୟୟନ କରୁଥିଲେ। ଏହି ଘଟଣା ପରେ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରକ୍ତ ଭଣ୍ଡାର ସ୍ଥାପନ ସହ ଉନ୍ନତ ଚିକିତ୍ସା ସୁବିଧା ଯୋଗାଇଦେବାକୁ ଦାବି ହୋଇଛି। ପରିବାର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୧୭ ତାରିଖରେ ରିତା ଅସୁସ୍ଥ ହେବାରୁ କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। କାର୍ଯ୍ୟରତ ଡାକ୍ତର ଅନୁଭବ ସାହୁଙ୍କ ସୂଚନା ଅନୁସାରେ, ରିତାଙ୍କ ରକ୍ତସ୍ତର ୪.୨ ଥିଲା। ତାଙ୍କୁ ଅଧିକ ଚିକିତ୍ସା ପାଇଁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରିତାଙ୍କ ମୃତ୍ୟୁ ହୋଇଥିବା ପରିବାର ପକ୍ଷରୁ କୁହାଯାଇଛି।
କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କେବଳ ବ୍ଲକବାସୀଙ୍କ ପାଇଁ ନୁହେଁ, ନିୟମଗିରି ପାହାଡ଼ ଅଞ୍ଚଳର ଡଙ୍ଗରିଆ ଆଦିବାସୀଙ୍କ ସମେତ ପଡ଼ୋଶୀ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଓ ଥୁଆମୂଳ ରାମପୁର ଅଞ୍ଚଳର ଅନେକ ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଚିକିତ୍ସା କେନ୍ଦ୍ର। ଦୂରଦୂରାନ୍ତରୁ ଗରିବ ଓ ଆଦିବାସୀ ପରିବାର ଏଠାକୁ ଚିକିତ୍ସା ପାଇଁ ଆସୁଥିବା ବେଳେ ଗୁରୁତର ରୋଗୀଙ୍କୁ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିବାକୁ ପଡ଼ୁଥିବା ଅଭିଯୋଗ ହେଉଛି। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ମ୍ୟାଲେରିଆ ଚିକିତ୍ସାଠାରୁ ଆରମ୍ଭ କରି ପ୍ରସବ ସେବା, ଅଲଟ୍ରାସାଉଣ୍ଡ ଓ ବିଭିନ୍ନ ପରୀକ୍ଷା ପାଇଁ ରୋଗୀଙ୍କୁ ଅନ୍ୟତ୍ର ଯିବାକୁ ପଡ଼ୁଛି। ଆବଶ୍ୟକ ଚିକିତ୍ସା ଯନ୍ତ୍ରପାତି, ବିଶେଷଜ୍ଞ ଓ ଅନ୍ୟାନ୍ୟ ସୁବିଧାର ଅଭାବ ଯୋଗୁଁ ରୋଗୀ ଓ ସେମାନଙ୍କ ପରିବାରକୁ ଅଧିକ ଖର୍ଚ୍ଚ ଓ ଯାତାୟାତ ଜନିତ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି।
ବାରମ୍ବାର ଦାବି, ତଥାପି ହୋଇପାରୁନି ରକ୍ତ ଭଣ୍ଡାର
କଲ୍ୟାଣସିଂହପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରକ୍ତ ଭଣ୍ଡାର ସ୍ଥାପନ କରିବାକୁ ଅଞ୍ଚଳବାସୀ ଦୀର୍ଘଦିନ ଧରି ଦାବି କରିଆସୁଛନ୍ତି। ଏହି ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ ଓ ଜନଶୁଣାଣିରେ ଦାବି ଉଠିଥିଲେ ମଧ୍ୟ ଏଯାଏଁ ସମାଧାନ ହୋଇନଥିବା ଅଭିଯୋଗ ରହିଛି। ରକ୍ତହୀନତାରେ ପୀଡ଼ିତ ରୋଗୀ, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଓ ଅନ୍ୟ ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ଆବଶ୍ୟକ ସମୟରେ ରକ୍ତ ଉପଲବ୍ଧ ହେବା ଅତ୍ୟନ୍ତ ଜରୁରୀ। ତେଣୁ ସ୍ୱାସ୍ଥ୍ୟକେନ୍ଦ୍ରରେ ରକ୍ତ ଭଣ୍ଡାର ସ୍ଥାପନ ପାଇଁ ଆବଶ୍ୟକ ଭିତ୍ତିଭୂମି, ସରକାରୀ ଅନୁମୋଦନ, ରକ୍ତ ସଂରକ୍ଷଣ ବ୍ୟବସ୍ଥା ଓ ତାଲିମପ୍ରାପ୍ତ କର୍ମଚାରୀଙ୍କ ନିଯୁକ୍ତି ଉପରେ ସ୍ୱାସ୍ଥ୍ୟ ବିଭାଗ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ଦାବି ହେଉଛି। ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବି।ରିତାଙ୍କ ମୃତ୍ୟୁ ପରେ ରାୟଗଡ଼ା ଜିଲ୍ଲାପାଳ ଓ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ହସ୍ତକ୍ଷେପ କରିବାକୁ ଅଞ୍ଚଳବାସୀ ଦାବି ଜଣାଇଛନ୍ତି। କଲ୍ୟାଣସିଂହପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ରକ୍ତ ଭଣ୍ଡାର କିମ୍ବା ନିୟମ ଅନୁଯାୟୀ ଅନୁମୋଦିତ ରକ୍ତ ସଂରକ୍ଷଣ ବ୍ୟବସ୍ଥା ସ୍ଥାପନର ସମ୍ଭାବନା ଯାଞ୍ଚ କରିବା ସହ ଆବଶ୍ୟକ ଡାକ୍ତର, ଟେକ୍ନିସିଆନ୍ ଓ ପରୀକ୍ଷା ଯନ୍ତ୍ରପାତି ଯୋଗାଇବାକୁ ଦାବି ହୋଇଛି। ଏଥିସହ ରିତାଙ୍କ ଚିକିତ୍ସା ସମୟରେ କେଉଁ ପଦକ୍ଷେପ ନିଆଯାଇଥିଲା ଏବଂ ତାଙ୍କ ଚିକିତ୍ସାରେ କୌଣସି ବାଧା ରହିଥିଲା କି ନାହିଁ, ତାହାର ତଥ୍ୟଭିତ୍ତିକ ଯାଞ୍ଚ କରିବାକୁ ମଧ୍ୟ ଦାବି ଉଠିଛି। ରିତାଙ୍କ ମୃତ୍ୟୁର ପ୍ରକୃତ କାରଣ ଚିକିତ୍ସାଗତ ତଥ୍ୟ ଆଧାରରେ ସ୍ପଷ୍ଟ ହେବା ଆବଶ୍ୟକ। ତେବେ ଏହି ଘଟଣା ଗ୍ରାମାଞ୍ଚଳରେ ଉନ୍ନତ ସ୍ୱାସ୍ଥ୍ୟସେବା ଓ ଜରୁରୀ ଚିକିତ୍ସା ସୁବିଧାର ଆବଶ୍ୟକତାକୁ ପୁଣିଥରେ ସାମ୍ନାକୁ ଆଣିଛି। ବାରମ୍ବାର ଦାବି ଓ ଜନଶୁଣାଣି ପରେ ମଧ୍ୟ କଲ୍ୟାଣସିଂହପୁରରେ ରକ୍ତ ଭଣ୍ଡାର ସ୍ଥାପନ ଦାବି କେବେ ପୂରଣ ହେବ, ତାହାକୁ ଏବେ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।
BACK TO TOP