Breaking
News
Breaking
News
24-Oct-2026
ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡ଼ା ଜିଲ୍ଲା ପ୍ରଶାସନର ଆଗୁଆ ପ୍ରସ୍ତୁତି
୩ଟି ପାୱାର ବୋଟ୍ ସହ ୮୪ଟି ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ
ଓଡିଶା ଜନମତ ରାୟଗଡ଼ା, ୨୪/୧୦,
କାମେଶ୍ୱର କରକରିଆ :- ----
ସମ୍ଭାବ୍ୟ ବାତ୍ୟାର ମୁକାବିଲା ଏବଂ ଜିଲ୍ଲାବାସୀଙ୍କ ଧନଜୀବନ ସୁରକ୍ଷାକୁ ଗୁରୁତ୍ୱ ଦେଇ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ପ୍ରସ୍ତୁତି ଆରମ୍ଭ ହୋଇଛି। ଏନେଇ ଶନିବାର ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ୍ ମାଧ୍ୟମରେ ଏକ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ସମ୍ଭାବ୍ୟ ବାତ୍ୟାର ସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ବିଭାଗକୁ ସତର୍କ ରହିବା ସହ ଆବଶ୍ୟକୀୟ ପଦକ୍ଷେପ ଆଗୁଆ ଗ୍ରହଣ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ବୈଠକରେ ପ୍ରତି ଦୁଇ ଘଣ୍ଟାରେ ବର୍ଷାର ସ୍ଥିତି ସମ୍ପର୍କିତ ରିପୋର୍ଟ ପ୍ରସ୍ତୁତ କରିବା ସହ ଜନସାଧାରଣଙ୍କୁ ସମୟୋଚିତ ସତର୍କ ସୂଚନା ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି। ଜିଲ୍ଲାର ସମସ୍ତ ବ୍ଲକ୍ରେ ନିୟନ୍ତ୍ରଣ କକ୍ଷ ଖୋଲି ଜରୁରୀ ପରିସ୍ଥିତିର ତ୍ୱରିତ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ଏଥିସହ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି। ପୂର୍ବରୁ ଚିହ୍ନଟ ହୋଇଥିବା ସମ୍ବେଦନଶୀଳ ଗ୍ରାମ ଓ ଦୁର୍ବଳ ସ୍ଥାନଗୁଡ଼ିକ ଉପରେ ନଜର ରଖିବା ସହ ଆବଶ୍ୟକ ମରାମତି କାର୍ଯ୍ୟ ଆଗୁଆ ଶେଷ କରିବାକୁ ନିର୍ଦ୍ଦେଶ ରହିଛି। ପାଣିପାଗ ବିଭାଗର ସତର୍କ ସୂଚନା ଅନୁଯାୟୀ ଆବଶ୍ୟକ ପଡ଼ିଲେ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକରେ ଛୁଟି ଘୋଷଣା କରାଯିବ। ବିପଦସଙ୍କୁଳ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନକୁ ନେବା ପାଇଁ କଲ୍ୟାଣସିଂହପୁର, ଗୁଡ଼ାରୀ ଓ ଗୁଣପୁରରେ ଗୋଟିଏ ଲେଖାଏଁ ମୋଟ ୩ଟି ପାୱାର ବୋଟ୍ ପ୍ରସ୍ତୁତ ରଖାଯାଇଛି। ଏହାସହ ହାଟସେସ୍କାଲ, ବିକ୍ରମପୁର ଓ କୁତ୍ରାଗୁଡ଼ାଠାରେ ଥିବା ୩ଟି ସ୍ଥାୟୀ ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀ ସମେତ ଜିଲ୍ଲାର ୮୪ଟି ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ପ୍ରସ୍ତୁତ ରଖାଯାଇଛି। ଆବଶ୍ୟକ ପଡ଼ିଲେ ରାୟଗଡ଼ା, ଗୁଣପୁର ଓ ବିଷମକଟକ ଅଞ୍ଚଳରେ ଓଡ୍ରାଫ୍, ଅଗ୍ନିଶମ ବିଭାଗ ଓ ଏନ୍ଡିଆର୍ଏଫ୍ ଟିମ୍ ମୁତୟନ କରି ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯିବ। ଆଶ୍ରୟସ୍ଥଳୀରେ ରହୁଥିବା ଲୋକଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରିବାକୁ ଏମ୍ଆଇ ଡିଭିଜନ୍କୁ ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ ସହରାଞ୍ଚଳରେ ଜଳ ନିଷ୍କାସନ ସୁବିଧା ପାଇଁ ଡ୍ରେନ୍ଗୁଡ଼ିକୁ ଆଗୁଆ ସଫା କରିବା ଓ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ପୌରାଞ୍ଚଳର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ କୁହାଯାଇଛି। ନଦୀ ଓ ଜଳାଶୟଗୁଡ଼ିକର ଜଳସ୍ତର ଉପରେ ନିରନ୍ତର ନଜର ରଖିବା ସହ ବିପଦସଙ୍କେତ ନିକଟରେ ଜଳସ୍ତର ପହଞ୍ଚିବା ପୂର୍ବରୁ ରିପୋର୍ଟ ପ୍ରଦାନ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ରହିଛି। ସ୍ୱାସ୍ଥ୍ୟସେବାକୁ ସ୍ୱାଭାବିକ ରଖିବା ପାଇଁ ଜରୁରୀକାଳୀନ ଔଷଧ ଓ ସାପ କାମୁଡ଼ା ପ୍ରତିଷେଧକ ଔଷଧ ମହଜୁଦ ରଖିବା ସହ ହସ୍ପିଟାଲଗୁଡ଼ିକରେ ନିୟନ୍ତ୍ରଣ କକ୍ଷ ଓ ବିକଳ୍ପ ବିଦ୍ୟୁତ୍ ଯୋଗାଣ ପାଇଁ ଜେନେରେଟର୍ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ କୁହାଯାଇଛି। ଆଗାମୀ କିଛି ସପ୍ତାହ ମଧ୍ୟରେ ପ୍ରସବ ହେବାକୁ ଥିବା ଗର୍ଭବତୀ ମହିଳାଙ୍କୁ ଆଗୁଆ ମା’ ଗୃହକୁ ସ୍ଥାନାନ୍ତର କରିବାକୁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ବାତ୍ୟା ସମୟରେ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରଖି ତ୍ୱରିତ ପଦକ୍ଷେପ ନେବା ଓ ଲୋକଙ୍କୁ ସଠିକ୍ ସମୟରେ ସତର୍କ ସୂଚନା ପ୍ରଦାନ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଛନ୍ତି। ବାତ୍ୟା ସମ୍ପର୍କିତ ଜରୁରୀ ସୂଚନା ଓ ସହାୟତା ପାଇଁ ଜନସାଧାରଣ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ରର ନିୟନ୍ତ୍ରଣ କକ୍ଷ ସହ ଯୋଗାଯୋଗ କରିପାରିବେ। ଏଥିପାଇଁ ୦୬୮୫୬-୨୨୪୦୮୨, ୦୬୮୫୬-୨୨୪୦୬୨ ଓ ଟୋଲ୍ ଫ୍ରି ନମ୍ବର ୧୦୭୭ ଜାରି କରାଯାଇଛି। ଜିଲ୍ଲାବାସୀଙ୍କୁ ଆଶ୍ୱସ୍ତ କରି ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣୀ କହିଛନ୍ତି ଯେ ସମ୍ଭାବ୍ୟ ବାତ୍ୟାକୁ ନେଇ କେହି ଆତଙ୍କିତ ନହୋଇ ଧୈର୍ଯ୍ୟ ଓ ସତର୍କତାର ସହ ପରିସ୍ଥିତିର ମୁକାବିଲା କରନ୍ତୁ। ସରକାରୀ ସତର୍କ ସୂଚନା ଓ ନିର୍ଦ୍ଦେଶାବଳୀ ପାଳନ କରିବା ସହ ଆବଶ୍ୟକ ସମୟରେ ପ୍ରଶାସନକୁ ସହଯୋଗ କରିବାକୁ ସେ ଜିଲ୍ଲାବାସୀଙ୍କୁ ନିବେଦନ କରିଛନ୍ତି।
BACK TO TOP