Breaking
News
Breaking
News
23-Oct-2026
ପୋଲିସ-ବରିଷ୍ଟ ନାଗରିକ ଓ ଜନସାଧାରଣ ସମନ୍ୱୟ ବୈଠକ |
ଓଡିଶା ଜନ ମତ, ପୁରୁଷୋତ୍ତମପୁର, ଶୁଭଙ୍କର ଦାଶ,
ପୁରୁଷୋତ୍ତମପୁର- ପୋଲିସ ବରିଷ୍ଟ ନାଗରିକ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ଓ ସମନ୍ୱୟ ରକ୍ଷା କରିବା ସହ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ଲକ୍ଷ୍ୟରେ ପୁରୁଷୋତ୍ତମପୁର ଥାନା ଅଧିକାରୀ କୁଳମଣି ସେଠୀଙ୍କ ଅଧ୍ୟକ୍ଷତାରେ ଏକ ଅନ୍ତଃବିଭାଗୀୟ ସମନ୍ୱୟ ବୈଠକ ଭୂତସରସିଙ୍ଗି ପଞ୍ଚାୟତର କଇଠଡ଼ା ଗ୍ରାମସ୍ଥିତ ବଡ଼ ରାଉଳଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆମ ପୋଲିସ ସମିତି ଓ ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟଙ୍କ ସମେତ ବିଭିନ୍ନ ବିଭାଗର ପ୍ରତିନିଧି ଓ ସ୍ଥାନୀୟ ଜନସାଧାରଣ ଯୋଗଦେଇଥିଲେ।
ବୈଠକରେ ପୁରୁଷୋତ୍ତମପୁର ଥାନା ଅଧିକାରୀ କୁଳମଣି ସେଠୀ, ତହସିଲଦାର ବିନୋଦ କୁମାର ବେହେରା, ବରିଷ୍ଠ ନାଗରିକ ମଞ୍ଚର ସଭାପତି ପ୍ରଫୁଲ୍ଲ ରଥ, ଓକିଲ ସଂଘର ସଭାପତି ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ବରିଷ୍ଟ ସାମ୍ବାଦିକ ପ୍ରସନ୍ନ କୁମାର ଦାଶ, ଆମ ପୋଲିସ ସମିତିର ସଭାପତି ରାଜକୁମାର ବସ୍ତିଆ ଏବଂ ଭୂତସରସିଙ୍ଗି ସରପଞ୍ଚ ମନୋଜ ଦାସଙ୍କ, ଟିପିସି ଡ଼ି ଓଏଲ ର ଯେଇ ଓ ଇରିଗେସେନ ଯେଇମଞ୍ଚାସିନ ଥିଲେ |
ଏହି ଅବସରରେ ଥାନା ଅଧିକାରୀ କୁଳମଣି ସେଠୀ ବରିଷ୍ଠ ନାଗରିକଙ୍କ ସୁରକ୍ଷା, ସାଇବର ଠକେଇରୁ ସତର୍କ ରହିବା ଏବଂ ଅଞ୍ଚଳରେ ନିଶା କାରବାର ରୋକିବା ଉପରେ ଗୁରୁତ୍ୱ ଦେଇଥିଲେ। ଲୋକମାନେ ପୋଲିସକୁ ଭୟ ନକରି ନିଜ ସମସ୍ୟା ନେଇ ଆଗକୁ ଆସିବା ସହ ନିର୍ଭୟରେ ଅଭିଯୋଗ ଜଣାଇବାକୁ ସେ ଆହ୍ୱାନ ଦେଇଥିଲେ। ଅପରାଧ ନିୟନ୍ତ୍ରଣ ଓ ସାମାଜିକ ସୁରକ୍ଷା କ୍ଷେତ୍ରରେ ଜନସାଧାରଣଙ୍କ ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ।
ସେହିପରି ତହସିଲଦାର ବିନୋଦ କୁମାର ବେହେରା ପ୍ରଶାସନ ସର୍ବଦା ଜନସାଧାରଣଙ୍କ ସହ ରହିଛି ବୋଲି କହିବା ସହ ଲୋକଙ୍କ ସମସ୍ୟାର ସମାଧାନ ଦିଗରେ ସହଯୋଗର ଆଶ୍ୱାସନା ଦେଇଥିଲେ। ବୈଠକରେ ବରିଷ୍ଠ ନାଗରିକମାନେ ନିଜ ନିଜର ବିଭିନ୍ନ ସମସ୍ୟା ଓ ଅଭିଯୋଗ ଉପସ୍ଥାପନ କରିଥିଲେ। ସେଗୁଡ଼ିକର ସମାଧାନ ସହ ଭବିଷ୍ୟତରେ ପୋଲିସ, ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ଅଧିକ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା।
ଅଞ୍ଚଳରେ ଶାନ୍ତିଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ ଏବଂ ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ସମସ୍ତେ ମିଳିତ ଭାବେ କାର୍ଯ୍ୟ କରିବାକୁ ମତପ୍ରକାଶ ପାଇଥିଲା |
BACK TO TOP