Breaking
News
Breaking
News
30-Oct-2026
ବାତ୍ୟା ‘ଅର୍ଣ୍ଣବ’ ମୁକାବିଲା ପାଇଁ ପ୍ରସ୍ତୁତି ସମୀକ୍ଷା କଲେ ଉପ-ମୁଖ୍ୟମନ୍ତ୍ରୀ
ଜୟପଙ୍ଗା ଆଶ୍ରୟସ୍ଥଳରେ ୨୬ ଜଣଙ୍କୁ ଶୁଖିଲା ରାସନ ବଣ୍ଟନ, ବଡ଼ନାଳ ଜଳଭଣ୍ଡାରର ଜଳସ୍ତର ଯାଞ୍ଚ
ଓଡିଶା ଜନମତ ରାୟଗଡ଼, କାମେଶ୍ୱର କରକରିଆ) :- ---
ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ରାୟଗଡ଼ ଜିଲ୍ଲାର ପଦ୍ମପୁର ବ୍ଲକରେ ବାତ୍ୟା ମୁକାବିଲା ପ୍ରସ୍ତୁତି ଓ ରିଲିଫ୍ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଓଡ଼ିଶାର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ବାତ୍ୟାଜନିତ ସମ୍ଭାବ୍ୟ ବର୍ଷା ଓ ପ୍ରତିକୂଳ ପାଣିପାଗ ପରିସ୍ଥିତିରେ ଜନସାଧାରଣଙ୍କ ସୁରକ୍ଷା ସହ ଆଶ୍ରୟସ୍ଥଳରେ ରହୁଥିବା ଲୋକଙ୍କୁ ଆବଶ୍ୟକ ସୁବିଧା ଯୋଗାଇଦେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି।ଗସ୍ତ ସମୟରେ ଉପ-ମୁଖ୍ୟମନ୍ତ୍ରୀ ଜୟପଙ୍ଗା ପ୍ରାଥମିକ ବିଦ୍ୟାଳୟରେ ସ୍ଥାପିତ ଅସ୍ଥାୟୀ ବାତ୍ୟା ଆଶ୍ରୟସ୍ଥଳ ପରିଦର୍ଶନ କରିଥିଲେ। ଏଠାରେ ମୁଟୁକୁଣି ଗ୍ରାମରୁ ସ୍ଥାନାନ୍ତରିତ ହୋଇ ଆଶ୍ରୟ ନେଇଥିବା ଲୋକଙ୍କ ସହ ଆଲୋଚନା କରି ସେମାନଙ୍କ ସୁରକ୍ଷା, ସ୍ୱାସ୍ଥ୍ୟ ଓ ଆବଶ୍ୟକ ସୁବିଧା ସମ୍ପର୍କରେ ପଚାରି ବୁଝିଥିଲେ। ଏହି ଅବସରରେ ୨୬ ଜଣ ଆଶ୍ରିତଙ୍କୁ ଶୁଖିଲା ରାସନ ପ୍ୟାକେଟ୍ ବଣ୍ଟନ କରିଥିଲେ।ଆଶ୍ରୟସ୍ଥଳରେ ପ୍ରସ୍ତୁତ ଖାଦ୍ୟର ମାନ ଯାଞ୍ଚ କରିବା ସହ ଆଶ୍ରିତମାନଙ୍କୁ ପର୍ଯ୍ୟାପ୍ତ ଖାଦ୍ୟ, ପାନୀୟ ଜଳ ଓ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇଦେବାକୁ ସେ ଅଧିକାରୀମାନଙ୍କୁ ଗୁରୁତ୍ୱ ଦେଇଥିଲେ। ଆଶ୍ରୟସ୍ଥଳରେ ଥିବା ଶିଶୁମାନଙ୍କ ସହ ମଧ୍ୟ ଭାବ ବିନିମୟ କରିଥିଲେ। ଏଥିସହ ସିଡିପିଓଙ୍କ ସହ ଆଲୋଚନା କରି ମୁଟୁକୁଣି ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ରର ଭିତ୍ତିଭୂମି, ସ୍ଥିତି ଓ ଅଙ୍ଗନବାଡ଼ି କର୍ମୀଙ୍କ ଉପଲବ୍ଧତା ବିଷୟରେ ତଥ୍ୟ ନେଇଥିଲେ। ପରେ ଉପ-ମୁଖ୍ୟମନ୍ତ୍ରୀ ହରଭଙ୍ଗୀ ଜଳସେଚନ ଡିଭିଜନ ଅନ୍ତର୍ଗତ ବଡ଼ନାଳ ଜଳଭଣ୍ଡାର ପରିଦର୍ଶନ କରିଥିଲେ। ସମ୍ଭାବ୍ୟ ବାତ୍ୟା ଯୋଗୁଁ ହୋଇପାରୁଥିବା ବର୍ଷା ଓ ଜଳଭଣ୍ଡାରର ବର୍ତ୍ତମାନର ଜଳସ୍ତର ସମ୍ପର୍କରେ ସମୀକ୍ଷା କରିବା ସହ ଜଳଭଣ୍ଡାର ନିକଟରେ ଏକ ନିରୀକ୍ଷଣ ବଙ୍ଗଳା ନିର୍ମାଣ ପାଇଁ ପ୍ରସ୍ତାବ ପ୍ରସ୍ତୁତ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ଗସ୍ତ ସମୟରେ ରାୟଗଡ଼ ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି, ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦଙ୍କ ସମେତ ଜିଲ୍ଲା ଓ ବ୍ଲକସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବାତ୍ୟା ସମୟରେ ଲୋକଙ୍କ ଜୀବନ ଓ ସମ୍ପତ୍ତିର ସୁରକ୍ଷା, ଆଶ୍ରିତଙ୍କୁ ରିଲିଫ୍ ସହାୟତା ଏବଂ ଜରୁରୀକାଳୀନ ପ୍ରସ୍ତୁତିକୁ ସୁଦୃଢ଼ କରିବା ଉପରେ ଗସ୍ତରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା।
BACK TO TOP