Breaking
News
Breaking
News
30-Oct-2026
ରାୟଗଡ଼ର ୨୦ଟି ବିଦ୍ୟାଳୟରେ ସୁରକ୍ଷିତ ଶିଶୁ ଅଭିଯାନ
ପକ୍ସୋ ଆଇନ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନତା, ତିନି ଦିନ ଧରି ଚାଲିବ କାର୍ଯ୍ୟକ୍ରମ
ଓଡିଶା ଜନମତ ରାୟଗଡ଼, ୨୯/୧୦
କାମେଶ୍ୱର କରକରିଆ :----
ଶିଶୁଙ୍କ ଅଧିକାରର ସୁରକ୍ଷା ଏବଂ ଯୌନ ନିର୍ଯାତନାରୁ ସେମାନଙ୍କୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ରାୟଗଡ଼ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ‘ସୁରକ୍ଷିତ ଶିଶୁ ଅଭିଯାନ’ ଆରମ୍ଭ ହୋଇଛି। ରାୟଗଡ଼ ପୌରାଞ୍ଚଳର ୨୦ଟି ବିଦ୍ୟାଳୟରେ ଏହି ସଚେତନତା କାର୍ଯ୍ୟକ୍ରମ ତିନି ଦିନ ଧରି ଚାଲିବ। ପକ୍ସୋ ଆଇନ-୨୦୧୨ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇବା ସହ ନିଜ ଅଧିକାର ଓ ସୁରକ୍ଷା ବିଷୟରେ ସଚେତନ କରିବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀଯୁକ୍ତ ସୁବ୍ରତ ଆଚାର୍ଯ୍ୟଙ୍କ ନିଷ୍ପତ୍ତିକ୍ରମେ ଏହି ଅଭିଯାନ ଆରମ୍ଭ କରାଯାଇଛି। ଗୁରୁବାର ସ୍ଥାନୀୟ ବ୍ରାହ୍ମଣ ସାହି, ଏକ୍ସ ବୋର୍ଡ, ଫରେଷ୍ଟ କଲୋନୀ ଓ ରେଭେନ୍ୟୁ କଲୋନୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମେତ ପିଏମ୍ଶ୍ରୀ ଜିଶିଡ଼ି ଉଚ୍ଚ ବିଦ୍ୟାଳୟ, ଜିବିଏମ୍ ଉଚ୍ଚ ବିଦ୍ୟାଳୟ ଏବଂ ବାଳିକା ଉଚ୍ଚ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅଭିଯାନରେ ସଚିବ ସୁବ୍ରତ ଆଚାର୍ଯ୍ୟଙ୍କ ସମେତ ଭାରତୀ ତ୍ରିପାଠୀ, ନବ କୁମାର କଣ୍ଟା, ବିଶ୍ୱନାଥ ଗନ୍ତାୟତ, ଦେବରାଜ ନାୟକ, ସୁକାନ୍ତ ଦାସ ଓ ରିତେଶ କୁମାର ସାବତ ପ୍ରମୁଖ ସମ୍ବଳ ବ୍ୟକ୍ତି ଭାବେ ଯୋଗଦେଇଥିଲେ। ସେମାନେ ‘ମୋ ଶୈଶବ–ମୋ ଅଧିକାର’, ‘କାନୁନ ଜାଣ–ଶୈଶବ ବଞ୍ଚାଅ’ ଏବଂ ‘ବୋଲ, ବତାଅ, ବଞ୍ଚାଅ’ ଭଳି ସ୍ଲୋଗାନ ମାଧ୍ୟମରେ ଶିଶୁଙ୍କ ଅଧିକାର, ସୁରକ୍ଷା ଓ ପକ୍ସୋ ଆଇନର ବିଭିନ୍ନ ଦିଗ ସମ୍ପର୍କରେ ବୁଝାଇଥିଲେ। ଶିଶୁମାନେ କୌଣସି ଅସୁରକ୍ଷିତ ପରିସ୍ଥିତିର ସମ୍ମୁଖୀନ ହେଲେ ତାହା ଜଣାଇବା ଏବଂ ଆଇନର ସହାୟତା ନେବା ସମ୍ପର୍କରେ ମଧ୍ୟ ସଚେତନତା ସୃଷ୍ଟି କରାଯାଇଥିଲା।ଅନ୍ୟପକ୍ଷରେ, ପୂର୍ବତନ ପରିଷଦ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନୀଳାଞ୍ଚଳ ମିଶ୍ର ପ୍ୟାନେଲ ଓକିଲ ବିଶ୍ୱନାଥ ଗନ୍ତାୟତଙ୍କୁ ସ୍ୱାଗତ କରିବା ସହ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ଆଲୋଚନା ପରେ ଛାତ୍ରଛାତ୍ରୀଙ୍କ ସହ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଶିଶୁଙ୍କ ପ୍ରତି ହେଉଥିବା ଯୌନ ନିର୍ଯାତନାକୁ ରୋକିବା, ଆଇନଗତ ସୁରକ୍ଷା ବିଷୟରେ ଜ୍ଞାନ ବୃଦ୍ଧି କରିବା ଏବଂ ନିର୍ଭୟରେ ନିଜ ସମସ୍ୟା ଜଣାଇବା ପାଇଁ ପିଲାମାନଙ୍କୁ ଉତ୍ସାହିତ କରିବା ଦିଗରେ ଏହି ଅଭିଯାନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ବିବେଚିତ ହେଉଛି।
BACK TO TOP