Breaking
News
Breaking
News
30-Oct-2026
ଓର୍ଣ୍ଣବ ବାତ୍ୟା ପ୍ରଭାବରେ ଭାଙ୍ଗିଲା ବିଶାଳ ଗଛ, ରାସ୍ତା ଅବରୋଧ
ଦୁଇ ଘଣ୍ଟା ପରେ ଯାତାୟାତ ସ୍ୱାଭାବିକ, ସଜାଗ ରହିଛି କଲ୍ୟାଣସିଂହପୁର ପ୍ରଶାସନ
ଓଡିଶା ଜନମତ ରାୟଗଡା, ୨୮/୧୦ (କାମେଶ୍ୱର କରକରିଆ): ଓର୍ଣ୍ଣବ ବାତ୍ୟାର ପ୍ରଭାବରେ ବର୍ଷା ଓ ପବନ ଯୋଗୁଁ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେଖାଲିଗୁଡ଼ା ରାସ୍ତା ନିକଟରେ ଏକ ବିଶାଳ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ିଯାଇଥିଲା। ଫଳରେ ରାସ୍ତା ଅବରୋଧ ହେବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ବୁଧବାର ସକାଳ ପ୍ରାୟ ୯ଟା ୩୦ ମିନିଟ୍ ସମୟରେ ଏହି ଘଟଣା ଘଟିଥିବା ସୂଚନା ରହିଛି। ଗଛଟି ରାସ୍ତା ଉପରେ ପଡ଼ିଯିବାରୁ ଯାତାୟାତ କରୁଥିବା ଲୋକେ ଅସୁବିଧାରେ ପଡ଼ିଥିଲେ। ଏନେଇ ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ସୂଚନା ପାଇ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଗଛକୁ କାଟି ରାସ୍ତାରୁ ହଟାଇଥିଲେ। ପ୍ରାୟ ଦୁଇ ଘଣ୍ଟାର ପରିଶ୍ରମ ପରେ ରାସ୍ତା ସଫା ହେବା ସହ ଯାତାୟାତ ପୁଣି ସ୍ୱାଭାବିକ ହୋଇଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ସମ୍ଭାବ୍ୟ ଓର୍ଣ୍ଣବ ବାତ୍ୟାକୁ ଦୃଷ୍ଟିରେ ରଖି କଲ୍ୟାଣସିଂହପୁର ସ୍ଥାନୀୟ ପ୍ରଶାସନ ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ବର୍ଷା ଓ ପବନ ସମୟରେ ଲୋକେ ନିରାପଦ ସ୍ଥାନରେ ରହିବା ସହ ଅତ୍ୟାବଶ୍ୟକ କାମ ନଥିଲେ ବାହାରକୁ ନ ଯିବାକୁ ସଚେତନ କରାଯାଉଛି। ଏଥିସହ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ଓ ବିଭିନ୍ନ ବିଭାଗ ପ୍ରସ୍ତୁତ ରହିଥିବା ଜଣାପଡ଼ିଛି। ମାଗୃହରେ ମଧ୍ୟ ୧୩ଜଣ ଗର୍ଭବତୀ ମହିଳାଙ୍କୁ ସୁରକ୍ଷା ରେ ରଖାଯାଇଛି ଓ ସେମାନଙ୍କ ଔଷଧ ପତ୍ର,ଜଳଖିଆ, ମଧ୍ୟାନ ଭୋଜନ, ରାତ୍ରି ଭୋଜନ ଓ ସମସ୍ତ ପ୍ରକାର ସୁବିଧା ଦେଉଥିବା ସିଡିପିଓ ଲଳିତା ପୂଜାରୀ ସୂଚନା ଦେଇଛନ୍ତି। ଏହି ସମ୍ପର୍କରେ ସ୍ଥାନୀୟ ତହସିଲଦାର ମାନସରଞ୍ଜନ ମାନସେଠଙ୍କୁ ଯୋଗାଯୋଗ କରିବାରୁ ସେ କହିଛନ୍ତି ଯେ ବାତ୍ୟାର ସମ୍ଭାବ୍ୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଶାସନ ସମସ୍ତ ପ୍ରକାରେ ସଜାଗ ରହିଛି। ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ମଧ୍ୟ ସତର୍କ ରହିବାକୁ କୁହାଯାଇଛି। ବାତ୍ୟା ଯୋଗୁଁ କୌଣସି ପ୍ରକାର ଅସୁବିଧା କିମ୍ବା କ୍ଷୟକ୍ଷତି ହେଲେ ପ୍ରଶାସନିକ ନିୟମ ଅନୁଯାୟୀ ଆବଶ୍ୟକ ପଦକ୍ଷେପ ନିଆଯିବା ସହ ନିୟମାନୁସାରେ କ୍ଷତିପୂରଣ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ବାତ୍ୟାଜନିତ ବର୍ଷା ଓ ପବନକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ସତର୍କତା ରହିଥିବା ବେଳେ, ଯେକୌଣସି ଜରୁରୀ ପରିସ୍ଥିତିରେ ପ୍ରଶାସନକୁ ସହଯୋଗ କରିବା ସହ ସୁରକ୍ଷିତ ସ୍ଥାନରେ ରହିବାକୁ ସାଧାରଣ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
BACK TO TOP