Breaking
News
Breaking
News
15-Nov-2026
ଭିମ୍ସ ଓ ମିଲେନିୟମ୍ ସଫ୍ଟୱେୟାର ସଲ୍ୟୁସନ୍ସ ମଧ୍ୟରେ ଏମ୍ଓୟୁ ସ୍ୱାକ୍ଷର
ଏମ୍ବିଏ ଛାତ୍ରଛାତ୍ରୀଙ୍କୁ ମିଳିବ ଶିଳ୍ପଭିତ୍ତିକ ପ୍ରଶିକ୍ଷଣ, ଇଣ୍ଟର୍ନସିପ୍ ଓ ନିଯୁକ୍ତି ସୁଯୋଗ
ଓଡିଶା ଜନମତ ରାୟଗଡ଼ା, ୧୫।୧୧,
କାମେଶ୍ୱର କରକରିଆ:-----
ଉଚ୍ଚଶିକ୍ଷା ସହ ଶିଳ୍ପଭିତ୍ତିକ ଜ୍ଞାନ ଓ ବୃତ୍ତିଗତ ଦକ୍ଷତା ବିକାଶ ଦିଗରେ ରାୟଗଡ଼ାର ଭାମ୍ସି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ଷ୍ଟଡିଜ୍ (ଭିମ୍ସ) ଏକ ପଦକ୍ଷେପ ଗ୍ରହଣ କରିଛି। ଭିମ୍ସ ଓ ମିଲେନିୟମ୍ ସଫ୍ଟୱେୟାର ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ ମଧ୍ୟରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଓ ନିଯୁକ୍ତି ସୁଯୋଗ ବୃଦ୍ଧି ନିମନ୍ତେ ଏକ ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷରିତ ହୋଇଛି। ଏହି ବୁଝାମଣା ଫଳରେ ଭିମ୍ସର ଏମ୍ବିଏ ଛାତ୍ରଛାତ୍ରୀମାନେ ଶିଳ୍ପସଂସ୍ଥା ଆଧାରିତ ପ୍ରଶିକ୍ଷଣ, ଛାତ୍ର ବିକାଶ କାର୍ଯ୍ୟକ୍ରମ, ଇଣ୍ଟର୍ନସିପ୍ ଏବଂ ନିଯୁକ୍ତି ଉପଯୋଗୀ ବିଭିନ୍ନ ଦକ୍ଷତା ହାସଲ କରିବାର ସୁଯୋଗ ପାଇବେ। ଶିକ୍ଷାନୁଷ୍ଠାନରେ ମିଳୁଥିବା ତାତ୍ତ୍ୱିକ ଜ୍ଞାନକୁ ବ୍ୟବହାରିକ କ୍ଷେତ୍ରରେ ପ୍ରୟୋଗ କରିବା ସହ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତର ନିଯୁକ୍ତି ପାଇଁ ପ୍ରସ୍ତୁତ କରିବା ଏହି ଏମ୍ଓୟୁର ମୁଖ୍ୟ ଉଦ୍ଦେଶ୍ୟ। କାର୍ଯ୍ୟକ୍ରମରେ ମିଲେନିୟମ୍ ସଫ୍ଟୱେୟାର ସଲ୍ୟୁସନ୍ସର ନିର୍ଦ୍ଦେଶକ ଆଲିଷ୍ଟର ରୋଜାରିଓ ଏମ୍ଓୟୁର ବିଭିନ୍ନ ଦିଗ ଏବଂ ଉଭୟ ଅନୁଷ୍ଠାନର ଦାୟିତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। କମ୍ପାନୀର ବିଜନେସ୍ ଡେଭଲପମେଣ୍ଟ ମ୍ୟାନେଜର ଏମ୍. ଶିବକୃଷ୍ଣ କମ୍ପାନୀର କାର୍ଯ୍ୟପ୍ରଣାଳୀ, ସେବା ଓ କାର୍ଯ୍ୟକ୍ଷେତ୍ର ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ। ଭିମ୍ସର ପ୍ରିନ୍ସିପାଲ୍ ଅତିଥିମାନଙ୍କୁ ସ୍ୱାଗତ କରିବା ସହ ଏହି ଏମ୍ଓୟୁ ଦ୍ୱାରା ଛାତ୍ରଛାତ୍ରୀମାନେ ବୃତ୍ତିଗତ ଜ୍ଞାନ, ବ୍ୟବହାରିକ ଅଭିଜ୍ଞତା ଓ ନିଯୁକ୍ତି କ୍ଷେତ୍ରରେ ଉପକୃତ ହୋଇପାରିବେ ବୋଲି ମତପ୍ରକାଶ କରିଥିଲେ। ସେହିପରି ଅନୁଷ୍ଠାନର ଏକାଡେମିକ୍ ଡାଇରେକ୍ଟର ପ୍ରଫେସର ସନତ କୁମାର ପଣ୍ଡା ଶିକ୍ଷାନୁଷ୍ଠାନ ଓ ଶିଳ୍ପସଂସ୍ଥା ମଧ୍ୟରେ ସୁଦୃଢ଼ ସମ୍ପର୍କ ସ୍ଥାପନର ଆବଶ୍ୟକତା ଏବଂ ଏହାର ଗୁରୁତ୍ୱ ଉପରେ ନିଜର ମତ ରଖିଥିଲେ। ପ୍ରଫେସର ବେଦପ୍ରକାଶ କର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ସହକାରୀ ପ୍ରଫେସର ମନୋଜ କୁମାର ଧନ୍ୟବାଦ ଅର୍ପଣ କରିଥିଲେ। ଏଥିରେ ଅନୁଷ୍ଠାନର ସମସ୍ତ ଅଧ୍ୟାପକ ଓ କର୍ମଚାରୀଙ୍କ ସମେତ ପ୍ରାୟ ୨୦୦ ଛାତ୍ରଛାତ୍ରୀ ଯୋଗଦେଇଥିଲେ।
ଶିକ୍ଷା ଓ ଶିଳ୍ପ ଜଗତ ମଧ୍ୟରେ ସମନ୍ୱୟ ବୃଦ୍ଧି ସହ ଛାତ୍ରଛାତ୍ରୀଙ୍କୁ ନିଯୁକ୍ତି ପାଇଁ ଅଧିକ ଦକ୍ଷ ଓ ପ୍ରସ୍ତୁତ କରିବାରେ ଏହି ଏମ୍ଓୟୁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଅନୁଷ୍ଠାନ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
BACK TO TOP