Breaking
News
Breaking
News
29-Nov-2026
ରେଳଲାଇନ୍ ନିର୍ମାଣ କାମରେ ନାବାଳିକାଙ୍କୁ ନିୟୋଜିତ ଅଭିଯୋଗ
ଦୁଇ ମାସରୁ ଊର୍ଦ୍ଧ୍ୱ ଧରି କାମ କରୁଛନ୍ତି ଦୁଇ ନାବାଳିକା, ମିଳୁନି ଉପଯୁକ୍ତ ପାରିଶ୍ରମିକ; ପ୍ରଶାସନର ହସ୍ତକ୍ଷେପ ଦାବି
ଓଡିଶା ଜନମତ ରାୟଗଡା, ୨୯/୧୧,
କାମେଶ୍ୱର କରକରିଆ :----
ଶିଶୁଙ୍କ ଭବିଷ୍ୟତ ଗଢ଼ିବା ବୟସରେ ଶ୍ରମିକ ଭାବେ କାମ କରୁଛନ୍ତି ନାବାଳିକା। ରାୟଗଡ଼ା ଜିଲ୍ଲାର ସିଙ୍ଗାପୁର ରୋଡ଼ଠାରୁ ଭାଲୁମାସ୍କା ପର୍ଯ୍ୟନ୍ତ ଚାଲିଥିବା ରେଳଲାଇନ୍ ନିର୍ମାଣ କାର୍ଯ୍ୟରେ ଦୁଇ ନାବାଳିକାଙ୍କୁ ନିୟୋଜିତ କରାଯାଇଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏମାନେ ସିଙ୍ଗାପୁର ରୋଡ଼,କେଉଟଗୁଡା,ଲକ୍ଷ୍ମୀପୁର,ଭାଲୁମାସ୍କା ଭଳି ସ୍ଥାନରେ ଅଲଗା ଅଲଗା ଝିଅମାନେ କାମ କରୁଥିବା ବେଳେ ଆଜି କୋଳନରା ବ୍ଲକ ଗାଡ଼ିଚେଷଖାଳ ପଞ୍ଚାୟତ ଅନ୍ତର୍ଗତ କଲଟିଗୁଡ଼ା ଗ୍ରାମ୍ୟ ବଜାରରେ ଅନେକ ମହିଳା ପୁରୁଷ ଭିତରୁ ଦୁଇ ନାବାଳିକା ମଧ୍ୟ କାମ କରୁଥିବା ଦେଖିବାକୁ ମିଳିଛି। ସୂଚନା ଅନୁଯାୟୀ ଦୁଇ ନାବାଳିକା ହେଲେ କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତ ଅନ୍ତର୍ଗତ ଝାକୁଡ଼ୁ ଗ୍ରାମର ଦିହୁ ହବିକାଙ୍କ ୧୩ ବର୍ଷୀୟା ଝିଅ ଏବଂ ଜମା କାଡ୍ରାକାଙ୍କ ୧୪ ବର୍ଷୀୟା ଝିଅ। ସେମାନେ ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ଧରି ଏହି କାମରେ ନିୟୋଜିତ ଥିବା ଜଣାପଡ଼ିଛି। ଏମାନେ ଗାଁ ଠାରୁ ପ୍ରାୟ ୨୫ କିମି ଦୁରତା କୁ ଆସି କାମ କରୁଛନ୍ତି।ଏତେ ଦୂର ଓ ଦିନ ଦିନ ଧରି କାମ କରୁଥିଲେ ମଧ୍ୟ ଉପଯୁକ୍ତ ପାରିଶ୍ରମିକ ମିଳୁନଥିବା ନେଇ ସେମାନେ ପ୍ରକାଶ କରିଥିବା ଅଭିଯୋଗ ହୋଇଛି। ଏଠାରେ ପ୍ରଶ୍ନ ଉଠୁଛି ଶିଶୁଙ୍କ ଶିକ୍ଷା ଓ ସୁରକ୍ଷା ପାଇଁ ସରକାର ବିଭିନ୍ନ ଯୋଜନା କରୁଥିବା ବେଳେ ଏଭଳି ନାବାଳିକାମାନେ କିପରି ନିର୍ମାଣ କାର୍ଯ୍ୟରେ ନିୟୋଜିତ ହେଉଛନ୍ତି? ରେଳଲାଇନ୍ ଭଳି ଏକ ବୃହତ୍ ପ୍ରକଳ୍ପରେ ଶ୍ରମିକ ନିୟୋଜନ ଉପରେ ନଜର ରଖିବା ଦାୟିତ୍ୱ କାହାର? ଦୁଇ ମାସରୁ ଅଧିକ ସମୟ ଧରି ଏହି ନାବାଳିକାମାନେ କାମ କରୁଥିବା ବେଳେ ସମ୍ପୃକ୍ତ ଠିକା ସଂସ୍ଥା କିମ୍ବା ଦାୟିତ୍ୱରେ ଥିବା ଅଧିକାରୀଙ୍କ ନଜର କାହିଁକି ପଡ଼ିନାହିଁ ତାହା ଏବେ ବଡ଼ ପ୍ରଶ୍ନ। ଶିଶୁ ଓ କିଶୋର ଶ୍ରମ ନିଷେଧ ଆଇନ ଅନୁଯାୟୀ ୧୪ ବର୍ଷରୁ କମ୍ ବୟସର ଶିଶୁଙ୍କୁ ନିଯୁକ୍ତି ଦେବା ନିଷିଦ୍ଧ। ସେହିପରି ୧୪ ରୁ ୧୮ ବର୍ଷ ବୟସର କିଶୋରକିଶୋରୀଙ୍କୁ ବିପଜ୍ଜନକ କାର୍ଯ୍ୟରେ ନିୟୋଜିତ କରିବା ଆଇନ ବିରୋଧୀ। ତେଣୁ ଏହି ଘଟଣାରେ ଜିଲ୍ଲା ଶ୍ରମ ବିଭାଗ, ଶିଶୁ ସୁରକ୍ଷା ୟୁନିଟ୍ ଓ ସ୍ଥାନୀୟ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରିବା ଆବଶ୍ୟକ। ଘଟଣାର ତଦନ୍ତ କରି ନାବାଳିକାଙ୍କୁ ଶ୍ରମରୁ ମୁକ୍ତ କରିବା ସେମାନଙ୍କ ଶିକ୍ଷା ଓ ସୁରକ୍ଷା ସୁନିଶ୍ଚିତ କରିବା ସହ ବକେୟା ପାରିଶ୍ରମିକ ଓ ନିୟୋଜନ ପଛରେ ଥିବା ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ଦାବି ହେଉଛି। ଶିଶୁମାନଙ୍କ ହାତରେ କାମର ବୋଝ ନୁହେଁ ବହି ଓ କଲମ ରହିବା ଉଚିତ। ଏହି ଘଟଣାକୁ ପ୍ରଶାସନ ହାଲୁକା ଭାବେ ନନେଇ ତୁରନ୍ତ ତଦନ୍ତ କରିବା ସହ ଆଗାମୀ ଦିନରେ ଏଭଳି ଘଟଣାର ପୁନରାବୃତ୍ତି ରୋକିବାକୁ ଦୃଢ଼ ପଦକ୍ଷେପ ନେବା ଜରୁରୀ। ଏ ସମ୍ପର୍କରେ ରାୟଗଡା ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ବି. ହୃଷିକେଶ ରାଓ ଙ୍କୁ ଜାଗାଯୋଗ ପରେ ଆମେ ଉକ୍ତସ୍ଥାନକୁ ଯାଇ ତଦନ୍ତ କରିବୁ ବୋଲି କହିଛନ୍ତି।
BACK TO TOP