Breaking
News
Breaking
News
28-Nov-2026
ଖରିଫ ଧାନ ସଂଗ୍ରହ ୨୦୨୬-୨୭ ପାଇଁ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ
ଓଡିଶା ଜନମତ ରାୟଗଡ, ୨୮/୧୧,
କାମେଶ୍ୱର କରକରିଆ: -----
ଖରିଫ ବିପଣନ ଋତୁ ୨୦୨୬-୨୭ ପାଇଁ ରାୟଗଡ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟାର ସୁପରିଚାଳନା, ସ୍ୱଚ୍ଛତା ଏବଂ ସୁପରିବେକ୍ଷଣ ନିମନ୍ତେ ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟି (DLPC) ବୈଠକ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ରାୟଗଡ ବିଧାୟକ ଶ୍ରୀ ଅପ୍ପଲାସ୍ୱାମୀ କାଡ୍ରାକା, କୋରାପୁଟ ସାଂସଦଙ୍କ ପ୍ରତିନିଧି, ଗୁଣପୁର ବିଧାୟକଙ୍କ ପ୍ରତିନିଧି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରବୀନ୍ଦ୍ରନାଥ କହଁର, ଉପଜିଲ୍ଲାପାଳ ରାୟଗଡ ସୁଶ୍ରୀ ମୃଣାଲିକା ରାଠୋଡ଼, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଶ୍ରୀ ଗୋସନାର ବାର୍ଲା, ମୁଖ୍ୟ ଯୋଗାଣ ଅଧିକାରୀ, କୃଷକ ପ୍ରତିନିଧି, ଧାନ ମିଲ୍ ମାଲିକ, ସମାଜସେବୀ ଏବଂ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।
ବୈଠକରେ ଚଳିତ ଖରିଫ ବିପଣନ ଋତୁରେ ଧାନ ସଂଗ୍ରହର ସମୟସୀମା, ଧାନ ସଂଗ୍ରହ କେନ୍ଦ୍ରଗୁଡ଼ିକର ପ୍ରସ୍ତୁତି, କୃଷକମାନଙ୍କ ସୁବିଧା, ଧାନର ଗୁଣବତ୍ତା ଯାଞ୍ଚ, ଧାନ ଉଠାଣ, ମିଲରମାନଙ୍କ ଭୂମିକା ଏବଂ ସମଗ୍ର ପ୍ରକ୍ରିୟାର ନିୟମିତ ତଦାରଖ ଓ ପରିଚାଳନା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଗତ ଖରିଫ ବିପଣନ ଋତୁରେ ଜିଲ୍ଲାରେ ଧାନ ଡେଲିଭରି ହାର ୯୪.୭୨ ପ୍ରତିଶତ ରହିଥିବା ବେଳେ ଚଳିତ ବର୍ଷ ଏହି ପ୍ରକ୍ରିୟାକୁ ଅଧିକ ସୁବ୍ୟବସ୍ଥିତ ଓ ସଫଳ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଚଳିତ ୨୦୨୬-୨୭ ଖରିଫ ବିପଣନ ଋତୁ ପାଇଁ ଧାନ ସଂଗ୍ରହ ଅବଧି ୦୧.୧୧.୨୦୨୬ ରୁ ୩୧.୦୩.୨୦୨୭ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି। ସାଧାରଣ FAQ ମାନର ଧାନ ପାଇଁ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ (MSP) ୩,୧୦୦ ଟଙ୍କା ରଖାଯାଇଛି। ଜିଲ୍ଲାର ଗୁଣପୁର, ଗୁଡାରି ଓ ପଦ୍ମପୁର ବ୍ଲକରେ ଆସନ୍ତା ୨୯ ଡିସେମ୍ବର ୨୦୨୬ ରୁ ଧାନ ସଂଗ୍ରହ ଆରମ୍ଭ ହେବାକୁ ଥିବାବେଳେ ଅନ୍ୟ ସମସ୍ତ ବ୍ଲକରେ ୧୮ ଡିସେମ୍ବର ୨୦୨୬ ରୁ ଧାନ ସଂଗ୍ରହ ଆରମ୍ଭ ହେବ।
ଧାନ ସଂଗ୍ରହ କେନ୍ଦ୍ର (PPC) ଗୁଡ଼ିକରେ କୃଷକମାନଙ୍କ ପାଇଁ ଆବଶ୍ୟକ ସୁବିଧା ସୁନିଶ୍ଚିତ କରିବା ନିମନ୍ତେ RMC ପକ୍ଷରୁ ଧାନର ଗୁଣବତ୍ତା ଯାଞ୍ଚ ଉପକରଣ, ପର୍ଯ୍ୟାପ୍ତ ପରିମାଣର ତାରପୋଲିନ୍ ଓ ପଲିଥିନ୍, ପାନୀୟ ଜଳ, ଅସ୍ଥାୟୀ ଶୌଚାଳୟ, କୃଷକମାନଙ୍କ ପାଇଁ ବସିବା ବ୍ୟବସ୍ଥା ଏବଂ ସମସ୍ତ PPCରେ CCTV କ୍ୟାମେରା ସ୍ଥାପନ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ଏଥିସହିତ FAQ ମାନର ଧାନ ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ସମ୍ପର୍କରେ କୃଷକମାନଙ୍କୁ ସଚେତନ କରିବା ପାଇଁ ପୋଷ୍ଟର, ବ୍ୟାନର, ଲିଫଲେଟ୍ ଓ ମାଇକ୍ ଯୋଗେ ବ୍ୟାପକ ପ୍ରଚାରପ୍ରସାର କରିବାକୁ RMC ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି। PPC କିମ୍ବା ମଣ୍ଡିରେ ଧାନ ପହଞ୍ଚିବା ପରେ ସୋସାଇଟି ଓ RMC ଅଧିକାରୀମାନେ ଧାନର ନମୁନା ପରୀକ୍ଷା କରି FAQ ମାନ ଅନୁଯାୟୀ ଗୁଣବତ୍ତା ଯାଞ୍ଚ କରିବେ। ଏଥିପାଇଁ ପ୍ରତ୍ୟେକ PPCରେ ଅସ୍ଥାୟୀ ଭାବେ ପ୍ରଶିକ୍ଷିତ ଗୁଣବତ୍ତା ବିଶ୍ଳେଷକ ନିୟୋଜନ ସହ ଆବଶ୍ୟକ ଉପକରଣ ଉପଲବ୍ଧ କରାଯିବ।
ଯାଞ୍ଚ ପରେ ଯୋଗ୍ୟ ବିବେଚିତ ପଞ୍ଜୀକୃତ ଚାଷୀମାନଙ୍କୁ ଧାନ ସଂଗ୍ରହ ଆରମ୍ଭ ପୂର୍ବରୁ ସେମାନଙ୍କ ପଞ୍ଜୀକୃତ ମୋବାଇଲ୍ ନମ୍ବରକୁ ଓଡ଼ିଆ ଭାଷାରେ SMS/WhatsApp ମାଧ୍ୟମରେ ଧାନ ବିକ୍ରୟର ତାରିଖ, ସ୍ଥାନ ଓ ପରିମାଣ ସମ୍ପର୍କରେ ଆଗୁଆ ସୂଚନା ପ୍ରଦାନ କରାଯିବ।
ଧାନ ବିକ୍ରୟ ପରେ ଚାଷୀମାନଙ୍କୁ MSP ପ୍ରଦାନ ପାଇଁ ସେମାନଙ୍କ ଆଧାର ସଂଯୁକ୍ତ ଏବଂ NPCI ପ୍ଲାଟଫର୍ମରେ ସକ୍ରିୟ ବ୍ୟାଙ୍କ ଖାତା ମାଧ୍ୟମରେ ଅର୍ଥରାଶି ପ୍ରଦାନ କରାଯିବ। ଧାନ କ୍ରୟ ପରେ ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ପଞ୍ଜୀକୃତ ବ୍ୟାଙ୍କ ଖାତାକୁ ଅର୍ଥରାଶି ପଠାଇବାର ବ୍ୟବସ୍ଥା ରହିଛି।
ଚାଷୀମାନଙ୍କୁ ଧାନ ସଂଗ୍ରହ ସମ୍ପର୍କିତ ସୂଚନା ସହଜରେ ଉପଲବ୍ଧ କରାଇବା ପାଇଁ IVRS (Interactive Voice Response System) ବ୍ୟବସ୍ଥା କାର୍ଯ୍ୟକ୍ଷମ କରାଯାଇଛି। ଚାଷୀମାନେ ୧୯୬୭ ଟୋଲ୍ ଫ୍ରି ନମ୍ବରକୁ ଫୋନ୍ କରି ନିଜର ଯାଞ୍ଚ ହୋଇଥିବା ଜମିର ପରିମାଣ, ଟୋକନ୍ ସ୍ଥିତି ଏବଂ ଅର୍ଥ ପ୍ରଦାନର ସ୍ଥିତି ସମ୍ପର୍କରେ ଜାଣିପାରିବେ। ଏହି ସୁବିଧା କେବଳ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ଉପଲବ୍ଧ ହେବ।
ଚାଷୀମାନଙ୍କ ଅଭିଯୋଗର ତ୍ୱରିତ ସମାଧାନ ପାଇଁ ଜିଲ୍ଲାସ୍ତରୀୟ ଅଭିଯୋଗ ନିରାକରଣ ଦଳ ଗଠନ କରାଯାଇଛି। ଜିଲ୍ଲା ଯୋଗାଣ କାର୍ଯ୍ୟାଳୟରେ ଏକ ନିୟନ୍ତ୍ରଣ କକ୍ଷ କାର୍ଯ୍ୟ କରୁଛି। ଚାଷୀମାନେ ଧାନ ବିକ୍ରୟ ସମ୍ପର୍କିତ ଅଭିଯୋଗ ପାଇଁ ୦୬୮୫୬-୩୧୩୯୨୪ ନମ୍ବରରେ ଯୋଗାଯୋଗ କରିପାରିବେ। ଧାନ ସଂଗ୍ରହ ପ୍ରକ୍ରିୟା ଶେଷ ହେବା ପର୍ଯ୍ୟନ୍ତ ଏହି ନିୟନ୍ତ୍ରଣ କକ୍ଷ ଦୈନିକ ଭିତ୍ତିରେ ଅଭିଯୋଗର ସମାଧାନ କରିବ।
ବୈଠକରେ ଜିଲ୍ଲାର ସମସ୍ତ ଧାନ ସଂଗ୍ରହ କେନ୍ଦ୍ରରେ ସୁବ୍ୟବସ୍ଥିତ ପରିଚାଳନା, କୃଷକମାନଙ୍କୁ ଅଯଥା ହଇରାଣ ନକରିବା, ଧାନର ଗୁଣବତ୍ତା ଯାଞ୍ଚରେ ସ୍ୱଚ୍ଛତା ରକ୍ଷା କରିବା ଏବଂ ଧାନ ସଂଗ୍ରହଠାରୁ ଆରମ୍ଭ କରି ମିଲ୍କୁ ଧାନ ଯୋଗାଣ ପର୍ଯ୍ୟନ୍ତ ସମସ୍ତ ପର୍ଯ୍ୟାୟରେ ନିୟମିତ ତଦାରଖ ଓ ସମନ୍ୱୟ ରକ୍ଷା କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଚଳିତ ଖରିଫ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ସଫଳ, ସ୍ୱଚ୍ଛ ଓ କୃଷକ-ଅନୁକୂଳ କରିବା ପାଇଁ ସମସ୍ତ ବିଭାଗ ଓ ସମ୍ପୃକ୍ତ ଅଂଶୀଦାରଙ୍କ ସକ୍ରିୟ ସହଯୋଗ କାମନା କରାଯାଇଥିଲା।
BACK TO TOP