Breaking
News
Breaking
News
23-Sep-2026
ଗରିବ ଘରୁ ୫ ଭାଇ-ଭଉଣୀ ନିଟ୍ରେ ସଫଳ |
ଓଡିଶା ଜନ ମତ ବ୍ୟୁରୋ,
ଅସୀମ ବିଶ୍ୱାସ, କଠିନ ପରିଶ୍ରମ ଓ ପାଠ ପଢ଼ିବାର ଆଗ୍ରହ ଆଗରେ ହାର ମାନିଛି ଅଭାବ । ଝାଟିମାଟି ଘରୁ ଡାକ୍ତର ହେବାର ସ୍ୱପ୍ନ ଦେଖିଛନ୍ତି ୫ ଭାଇ-ଭଉଣୀ । ଆଉ ଏହି ସ୍ୱପ୍ନକୁ ସାକାର କରିବାକୁ ଦିନରାତି ପରିଶ୍ରମ କରିଛି ସମ୍ପୂର୍ଣ୍ଣ ପରିବାର । କନ୍ଧମାଳ ଦାରିଙ୍ଗବାଡ଼ି ତାଜୁଙ୍ଗିଆ ପଞ୍ଚାୟତର ବଣ, ପାହାଡ଼ ଓ ଝରଣା ଘେରା ସିକବାଡ଼ି ଗାଁ । ଏହି ଗାଁର ବୁର୍ଶୀ ପ୍ରଧାନଙ୍କ ପରିବାରର ସଫଳତା ଏବେ ଅନେକଙ୍କ ପାଇଁ ପ୍ରେରଣା ପାଲଟିଛି ।
ବୁର୍ଶୀଙ୍କ ୪ ପୁଅ-ଝିଅ ଏବଂ ତାଙ୍କ ସାନ ଭାଇଙ୍କ ଝିଅ ମୀନାକ୍ଷୀ ଏବେ ଡାକ୍ତର ହେବାର ଲକ୍ଷ୍ୟରେ ଆଗକୁ ବଢ଼ୁଛନ୍ତି। ୨୦୨୧ରେ ନିଟ୍ ପାସ୍ କରି ବଡ଼ ପୁଅ ବିଭୀଷଣ ପ୍ରଧାନ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଇଣ୍ଟର୍ଣ୍ଣସିପ୍ କରୁଛନ୍ତି। ଝିଅ ମୋନାଲିସା ଡାକ୍ତରୀ ଦ୍ୱିତୀୟ ବର୍ଷର ଛାତ୍ରୀ।
ଚଳିତ ବର୍ଷ ସୁନେମି ପ୍ରଧାନ, ଅସରୀୟ ପ୍ରଧାନ ଏବଂ ବୁର୍ଶୀଙ୍କ ସାନ ଭାଇଙ୍କ ଝିଅ ମୀନାକ୍ଷୀ ପ୍ରଧାନ ମଧ୍ୟ ନିଟ୍ରେ ସଫଳ ହୋଇଛନ୍ତି । ଅର୍ଥାଭାବ ଭିତରେ ଏହି ସଫଳତା ପରିବାରର ପରିଶ୍ରମ ଓ ପିଲାଙ୍କ ଦୃଢ଼ ଇଚ୍ଛାଶକ୍ତିର ଉଦାହରଣ ପାଲଟିଛି ।
୫ ଜଣ ଭାଇ-ଭଉଣୀ ଗାଁ ସ୍କୁଲରେ ପାଠ ପଢ଼ିବା ପରେ ବ୍ରହ୍ମପୁରରେ ରହି +୨ ପଢ଼ିଥିଲେ । ହେଲେ ଅର୍ଥାଭାବ ଯୋଗୁଁ ନିଟ୍ରେ ପାଇଁ କୋଚିଂ ନେବା ସମ୍ଭବ ହୋଇନଥିଲା। ତେଣୁ ଗୋଟିଏ ମୋବାଇଲରେ ପାଳି କରି ଅନଲାଇନ୍ରେ ପାଠ ପଢ଼ୁଥିଲେ ତିନି ଭାଇ-ଭଉଣୀ । ପିଲାଙ୍କ ସ୍ୱପ୍ନ ସାକାର କରିବାକୁ ପରିବାରକୁ ଅନେକ କଷ୍ଟ ସହିବାକୁ ପଡ଼ିଛି । ପାଠପଢ଼ା ପାଇଁ ଟଙ୍କା ଯୋଗାଡ଼ କରିବାକୁ ବୁର୍ଶୀ କେରଳରେ ଦାଦନ ଖଟିଥିଲେ । ଏବେ ଚାଷରୁ ମିଳୁଥିବା ଆୟର ବଡ଼ ଅଂଶ ପିଲାଙ୍କ ପାଠପଢ଼ାରେ ଖର୍ଚ୍ଚ ହେଉଛି । ମେଡିକାଲ କଲେଜରେ ନାମଲେଖା ପାଇଁ ଘରେ ଥିବା ବଳଦ ଓ ଛେଳି ମଧ୍ୟ ବିକ୍ରି କରିବାକୁ ପଡ଼ିଛି ।
ଏବେ ଆହୁରି ୩ ଜଣ ପିଲାଙ୍କ ନାମଲେଖା ପାଇଁ ଟଙ୍କା ଆବଶ୍ୟକ। ପରିବାରର ଆର୍ଥିକ ସ୍ଥିତିକୁ ବୁଝି ପିଲାମାନେ ମଧ୍ୟ ପାଠପଢ଼ା ସହ ଘର କାମରେ ସହଯୋଗ କରୁଛନ୍ତି। ସମୟ ମିଳିଲେ ଗୋରୁଗାଈ ଚରାଇବା ଭଳି ଘରୋଇ କାମ ମଧ୍ୟ କରୁଛନ୍ତି । ପିଲାଙ୍କ ଡାକ୍ତର ହେବାର ସ୍ୱପ୍ନକୁ ଆଗକୁ ନେବା ପାଇଁ ସରକାରଙ୍କ ପକ୍ଷରୁ କିଛି ଆର୍ଥିକ ସହାୟତା ଯୋଗାଇଦେବାକୁ ନିବେଦନ କରିଛନ୍ତି ବୁର୍ଶୀ ଓ ଅନୁସୂୟା । ଝାଟିମାଟି ଘରୁ ଡାକ୍ତର ହେବାର ସ୍ୱପ୍ନ ଦେଖି ତାହାକୁ ସାକାର କରିବା ଦିଗରେ ଆଗେଇ ଚାଲିଥିବା ୫ ଭାଇ-ଭଉଣୀଙ୍କ କାହାଣୀ ଏବେ ସମଗ୍ର କନ୍ଧମାଳ ପାଇଁ ଗର୍ବର ବିଷୟ ପାଲଟିଛି ।
BACK TO TOP