Breaking
News
Breaking
News
05-Nov-2026
କ୍ଲୋରିନ୍ ଗ୍ୟାସ୍ ଲିକେଜ୍ ମୁକାବିଲା ପାଇଁ ପ୍ରଶାସନର ମକ୍ ଡ୍ରିଲ୍
ଜରୁରୀକାଳୀନ ପରିସ୍ଥିତିରେ ଉଦ୍ଧାର ଓ ଜନସୁରକ୍ଷା ପ୍ରସ୍ତୁତିର ହେଲା ଅଭ୍ୟାସ
ଓଡିଶା ଜନମତ ରାୟଗଡ଼, ୦୫/୧୧( କାମେଶ୍ୱର କରକରିଆ) :- ରାୟଗଡ଼ ଜିଲ୍ଲାରେ ସମ୍ଭାବ୍ୟ ରାସାୟନିକ ଦୁର୍ଘଟଣା ଓ କ୍ଲୋରିନ୍ ଗ୍ୟାସ୍ ଲିକେଜ୍ ଭଳି ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଟେବୁଲ୍ ଟପ୍ ଏକ୍ସରସାଇଜ୍ ଓ ଅଫ୍ସାଇଟ୍ ଏମର୍ଜେନ୍ସି ମକ୍ ଡ୍ରିଲ୍ ଅନୁଷ୍ଠିତ ହୋଇଛି। ବିଭିନ୍ନ ବିଭାଗର ପ୍ରସ୍ତୁତି, ଉଦ୍ଧାର କାର୍ଯ୍ୟ ଓ ପରସ୍ପର ମଧ୍ୟରେ ସମନ୍ୱୟକୁ ପରଖିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥିତ ନୂତନ ସମ୍ମିଳନୀ କକ୍ଷରେ ଆୟୋଜିତ ଟେବୁଲ୍ ଟପ୍ ଏକ୍ସରସାଇଜ୍ରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିହାର ରଞ୍ଜନ କହଁର ଅଧ୍ୟକ୍ଷତା କରିଥିଲେ। ଡେପୁଟି ଡାଇରେକ୍ଟର ଅଫ୍ ଫ୍ୟାକ୍ଟ୍ରିଜ୍ ଆଣ୍ଡ ବଏଲର୍ସ, ରାୟଗଡ଼ ଡିଭିଜନ ପକ୍ଷରୁ ଏହି କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ବୈଠକରେ ପରିବହନ, ଅଗ୍ନିଶମ, ପୋଲିସ, ସ୍ୱାସ୍ଥ୍ୟ, ଜନସ୍ୱାସ୍ଥ୍ୟ ଯାନ୍ତ୍ରିକ, ରେଳବାଇ, ବିଦ୍ୟୁତ୍ ବିଭାଗ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ସମେତ ଜିଲ୍ଲା ଜରୁରୀକାଳୀନ ପରିଚାଳନା କେନ୍ଦ୍ରର ଅଧିକାରୀମାନେ ଯୋଗଦେଇଥିଲେ। କ୍ଲୋରିନ୍ ଗ୍ୟାସ୍ ଲିକେଜ୍ ଘଟିଲେ ବିଭିନ୍ନ ବିଭାଗର ଦାୟିତ୍ୱ, ତ୍ୱରିତ ଉଦ୍ଧାର, ଚିକିତ୍ସା ସେବା, ରିଲିଫ୍ ବ୍ୟବସ୍ଥା ଓ ଜନସାଧାରଣଙ୍କୁ ସଚେତନ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡ଼ି କର୍ମୀ, ସରପଞ୍ଚ ଓ ଜନପ୍ରତିନିଧିଙ୍କୁ ଆବଶ୍ୟକ ସତର୍କତା ସମ୍ପର୍କରେ ପ୍ରଶିକ୍ଷଣ ଦେବା, ଜରୁରୀକାଳୀନ ଉଦ୍ଧାର ପାଇଁ ସ୍ୱତନ୍ତ୍ର ଯାନ ବ୍ୟବସ୍ଥା କରିବା ଏବଂ ପାନୀୟ ଜଳ ଯୋଗାଣର ସୁରକ୍ଷା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଅନ୍ୟପକ୍ଷରେ, ଅପରାହ୍ନ ୪ଟା ସମୟରେ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ କେରଡ଼ାଠାରେ କ୍ଲୋରିନ୍ ଗ୍ୟାସ୍ ଲିକେଜ୍କୁ ଆଧାର କରି ଅଫ୍ସାଇଟ୍ ଏମର୍ଜେନ୍ସି ମକ୍ ଡ୍ରିଲ୍ କରାଯାଇଥିଲା। ଏହି ଅଭ୍ୟାସ ମାଧ୍ୟମରେ ବିପଦ ସମୟରେ ବିଭିନ୍ନ ବିଭାଗ କିଭଳି ତ୍ୱରିତ ପଦକ୍ଷେପ ନେବେ, ଉଦ୍ଧାର ଓ ଚିକିତ୍ସା ସେବା କିପରି ସୁଚାରୁ ଭାବେ ପରିଚାଳିତ ହେବ ଏବଂ ସାଧାରଣ ଲୋକଙ୍କ ଜୀବନ ଓ ସମ୍ପତ୍ତି କିପରି ସୁରକ୍ଷିତ ରହିବ, ତାହାର ଅଭ୍ୟାସ କରାଯାଇଥିଲା। ଏଭଳି ମକ୍ ଡ୍ରିଲ୍ ଭବିଷ୍ୟତରେ କୌଣସି ରାସାୟନିକ ଦୁର୍ଘଟଣା ଘଟିଲେ ପ୍ରଶାସନକୁ ତ୍ୱରିତ ଓ ସମନ୍ୱିତ ଭାବେ ମୁକାବିଲା କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
BACK TO TOP