Breaking
News
Breaking
News
05-Nov-2026
ବାତ୍ୟା ବର୍ଷାରେ କାଦୁଅ ରାସ୍ତାରେ ଦବିଗଲା ପିଡ଼ିଏସ୍ ଚାଉଳ ଗାଡ଼ି
ଅଣ୍ଡରପାସ୍ ନିର୍ମାଣ ଯୋଗୁଁ ଯାତାୟାତରେ ଅସୁବିଧା, ୨୦୧୯ରୁ ଅଚଳ ସୋଲାର ଲାଇଟ୍
ଓଡିଶା ଜନମତ ରାୟଗଡା , ୦୫/୧୧,
କାମେଶ୍ୱର କରକରିଆ: ---
ବାତ୍ୟା `ମୁରାସୁ`ର ପ୍ରଭାବରେ କାଦୁଅ ପାଲଟିଛି ରାସ୍ତା। ଏହି କାଦୁଅ ରାସ୍ତାରେ ଫସି ଦବିଗଲା ପିଡ଼ିଏସ୍ ଚାଉଳ ବୋଝେଇ ଗାଡ଼ି। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ପଞ୍ଚାୟତର କଞ୍ଜାମଯୋଡି ଗ୍ରାମରେ। ଗ୍ରାମବାସୀଙ୍କ ଉଦ୍ୟମ ସତ୍ତ୍ୱେ ଗାଡ଼ିଟି ବାହାରି ନପାରିବାରୁ ଶେଷରେ ନିକଟରେ କାର୍ଯ୍ୟ କରୁଥିବା ଜେସିବି ସହାୟତାରେ ଗାଡ଼ିକୁ ଟାଣି ବାହାର କରାଯାଇ ଘାଟି ପାର କରାଯାଇଥିଲା। ସୂଚନା ଅନୁଯାୟୀ କଞ୍ଜାମଯୋଡି ଗ୍ରାମକୁ ଯିବା ପାଇଁ ପୂର୍ବରୁ ରେଳଧାରଣା ଅତିକ୍ରମ କରିବାକୁ ପଡୁଥିଲା। ସେଠାରେ ରେଳ ଫାଟକ ନଥିବାରୁ ଅନେକ ସମୟରେ ଟ୍ରେନ୍ ଧକ୍କାରେ ମଣିଷ ଓ ପଶୁଙ୍କ ମୃତ୍ୟୁ ଘଟଣା ଘଟିଥିବା ଗ୍ରାମବାସୀ କହିଛନ୍ତି। ଏହି ସମସ୍ୟାର ସମାଧାନ ଓ ଲୋକଙ୍କ ସୁରକ୍ଷିତ ଯାତାୟାତ ପାଇଁ ରାୟଗଡ଼ା କୋରାପୁଟ ରେଳପଥର ଦ୍ୱିତୀୟ ଲାଇନ୍ ନିର୍ମାଣ ସହ ରେଳବାଇ ପକ୍ଷରୁ ଏକ ଅଣ୍ଡରପାସ୍ ନିର୍ମାଣ କାର୍ଯ୍ୟ ଚାଲିଛି। ତେବେ ଏହି କାର୍ଯ୍ୟ ପାଇଁ ରାସ୍ତାରେ ନୂଆ ମାଟି ପକାଯାଇଥିବାରୁ ବର୍ଷାରେ ତାହା କାଦୁଅରେ ପରିଣତ ହୋଇଛି। ବାତ୍ୟା ମୁରାସୁ ପ୍ରଭାବରେ ହୋଇଥିବା ଲଗାଣ ଝିପିଝିପି ବର୍ଷାରେ ନୂଆ ମାଟି ଓଦା ହୋଇ ଦବିଯିବା ସହ ରାସ୍ତାର ବିଭିନ୍ନ ସ୍ଥାନ ଖସଡ଼ା ହୋଇପଡ଼ିଛି। ଏହି ରାସ୍ତା ଦେଇ ପିଡ଼ିଏସ୍ ଚାଉଳ ନେଇ ଯାଉଥିବା ଗାଡ଼ିଟି ମାଟିରେ ଦବି ଫସି ଯାଇଥିଲା। ଗାଡ଼ିଟିକୁ ବାହାର କରିବା ପାଇଁ ଗ୍ରାମବାସୀ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ପରେ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଜେସିବି ସହାୟତାରେ ଗାଡ଼ିଟିକୁ ବାହାର କରାଯାଇଥିଲା। ଅଣ୍ଡରପାସ୍ ନିର୍ମାଣ ସମୟରେ ବିକଳ୍ପ ଯାତାୟାତ ରାସ୍ତାକୁ ଠିକ୍ ଭାବେ ପ୍ରସ୍ତୁତ କରାଯାଇନଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏପଟେ ଗ୍ରାମର ଆଉ ଏକ ବଡ଼ ସମସ୍ୟା ହେଉଛି ଆଲୋକ ବ୍ୟବସ୍ଥା। ଗ୍ରାମରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ସଂଯୋଗ ନଥିବା ବେଳେ ପୂର୍ବରୁ ଯୋଗାଇ ଦିଆଯାଇଥିବା ସୋଲାର ଲାଇଟ୍ଗୁଡ଼ିକ ମଧ୍ୟ ଅଚଳ ହୋଇପଡ଼ିଛି। ୨୦୧୯ ମସିହାଠାରୁ ଆଜି ପର୍ଯ୍ୟନ୍ତ ନା ପୁରୁଣା ସୋଲାର ଲାଇଟ୍ ମରାମତି ହେଉଛି ନା ନୂତନ ଲାଇଟ୍ ଲଗାଯାଉଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଫଳରେ ସନ୍ଧ୍ୟା ହେଲେ ଗାଁ ଅନ୍ଧାରରେ ବୁଡ଼ି ରହୁଛି। ହାତୀ, ବାଘ, ଭାଲୁ ସମେତ ବିଭିନ୍ନ ପ୍ରକାର ସାପ, ସରୀସୃପ ଓ ବିଛାଙ୍କ ଭୟରେ ଗ୍ରାମବାସୀ ଭୟଭୀତ ଅବସ୍ଥାରେ ରାତି କାଟୁଛନ୍ତି। ଗୋଟିଏ ପଟେ ଅଣ୍ଡରପାସ୍ ନିର୍ମାଣ ଯୋଗୁଁ କାଦୁଅ ରାସ୍ତାରେ ଯାତାୟାତ ସମସ୍ୟା, ଅନ୍ୟପଟେ ଗାଁରେ ବିଦ୍ୟୁତ୍ ଓ ଆଲୋକ ବ୍ୟବସ୍ଥାର ଅଭାବ। ଏଭଳି ଦୁଇଟି ସମସ୍ୟା ମଧ୍ୟରେ ଜୀବନ ବିତାଉଛନ୍ତି କଞ୍ଜାମଯୋଡି ଗ୍ରାମବାସୀ। ତେଣୁ ଅଣ୍ଡରପାସ୍ ନିର୍ମାଣ କାର୍ଯ୍ୟ ଶୀଘ୍ର ସମ୍ପୂର୍ଣ୍ଣ କରିବା ସହ ବର୍ଷାଦିନରେ ଯାତାୟାତ ଉପଯୋଗୀ ବିକଳ୍ପ ରାସ୍ତା ନିର୍ମାଣ ଅଚଳ ସୋଲାର ଲାଇଟ୍ ମରାମତି ଏବଂ ନୂତନ ଲାଇଟ୍ ସ୍ଥାପନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ଏନେଇ ଲିଙ୍ଗରାଜ କୃଷିକା, ବିଶ୍ୱନାଥ କୃଷିକା, ରାମ ପ୍ରସ୍କା, ଅର୍ଜୁନ କୃଷିକା, ଟିଣ୍ଡୁ କୃଷିକା, ମାଳି କୃଷିକା, ସୀମାନ୍ତ କୁମୁଟି କୃଷିକା, ଲକ୍ଷ୍ମୀନାଥ ପ୍ରସ୍କା ଓ ଡ୍ରିମ୍ବା କୃଷିକା ପ୍ରମୁଖ ଅଭିଯୋଗ କରିଛନ୍ତି।
BACK TO TOP