Breaking
News
Breaking
News
12-Oct-2026
ଭାରରେ ବୁହା ହେଉଛନ୍ତି ରୋଗୀ, କେବେ ସୁଧୁରିବ ଡେମାଗୁଡ଼ି ରାସ୍ତା?
ଆମ୍ବୁଲାନ୍ସ ପହଞ୍ଚିବା କଷ୍ଟକର, ଦୁର୍ଦ୍ଦଶା ଭୋଗୁଛନ୍ତି ୩୫ ଆଦିବାସୀ ପରିବାର
୬ କିଲୋମିଟର ରାସ୍ତା ମରାମତି ପାଇଁ ବାରମ୍ବାର ଦାବି, ତଥାପି ଶୁଣୁନି ପ୍ରଶାସନ!
ଓଡିଶା ଜନମତ ରାୟଗଡ଼ା, ୧୨/୧୦,
କାମେଶ୍ୱର କରକରିଆ :- ----
ଗାଁକୁ ରାସ୍ତା ଅଛି, ହେଲେ ଯାତାୟାତ କରିବା କଷ୍ଟକର। ଗୁରୁତର ରୋଗୀଙ୍କୁ ମେଡିକାଲ ନେବାକୁ ହେଲେ ଆମ୍ବୁଲାନ୍ସ ନୁହେଁ, ଭରସା ପାଲଟୁଛି କାନ୍ଧରେ ବୁହା ଯାଉଥିବା ଭାର। ଆଜିର ବିକାଶଶୀଳ ସମାଜରେ ମଧ୍ୟ ଏଭଳି ଦୁର୍ଦ୍ଦଶାର ଚିତ୍ର ସାମ୍ନାକୁ ଆସିଛି ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ୍ର ବୁଡୁବାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଡେମାଗୁଡ଼ି ଗାଁରୁ। ଦୀର୍ଘଦିନ ଧରି ରାସ୍ତାର ମରାମତି ହେଉନଥିବାରୁ ଏଠାକାର ପ୍ରାୟ ୩୫ଟି ଆଦିବାସୀ ପରିବାର ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସୂଚନା ଅନୁଯାୟୀ, ଚନ୍ଦ୍ରପୁର ବ୍ଲକ୍ ସଦର ମହକୁମାଠାରୁ ପ୍ରାୟ ୩୬ କିଲୋମିଟର ଦୂରରେ ରହିଛି ଡେମାଗୁଡ଼ି ଗାଁ। କାମ୍ବିଗୁଡ଼ା ଛକଠାରୁ ଗାଁକୁ ଯାଇଥିବା ପ୍ରାୟ ୬ କିଲୋମିଟର ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଫଳରେ ଗାଁକୁ ଯାନବାହନ ଚଳାଚଳ କରିବା କଷ୍ଟକର ହେଉଛି। ବିଶେଷକରି ରୋଗୀ, ଗର୍ଭବତୀ ମହିଳା ଓ ଜରୁରୀ ସ୍ୱାସ୍ଥ୍ୟସେବା ଆବଶ୍ୟକ କରୁଥିବା ଲୋକଙ୍କ ପାଇଁ ଏହି ରାସ୍ତା ଗୁରୁତର ସମସ୍ୟା ସୃଷ୍ଟି କରୁଛି। ନିକଟରେ ଗାଁର ସୁରେନ୍ଦ୍ର ଗୁଲୁଡ଼ାକା ଅସୁସ୍ଥ ହୋଇପଡ଼ିବା ପରେ ତାଙ୍କୁ ମେଡିକାଲ ନେବା ପାଇଁ ଗ୍ରାମବାସୀ ଭାରରେ ବୋହି ପୁକୁରା ଗାଁ ପର୍ଯ୍ୟନ୍ତ ନେଇଥିଲେ। ସେଠାରୁ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଏହି ଘଟଣା ଗ୍ରାମାଞ୍ଚଳରେ ରାସ୍ତାଘାଟର ଦୟନୀୟ ଅବସ୍ଥା ଏବଂ ଜରୁରୀ ସ୍ୱାସ୍ଥ୍ୟସେବା ପହଞ୍ଚାଇବାରେ ରହିଥିବା ସମସ୍ୟାକୁ ପଦାରେ ପକାଇଛି।ସୂଚନାଯୋଗ୍ୟ, ୨୦୧୭-୧୮ ଆର୍ଥିକ ବର୍ଷରେ ଏହି ରାସ୍ତା ନିର୍ମାଣ କରାଯାଇଥିଲା। କିନ୍ତୁ ଦୀର୍ଘବର୍ଷ ଧରି ରାସ୍ତାର ଉପଯୁକ୍ତ ମରାମତି ହେଉନଥିବାରୁ ଏହାର ଅବସ୍ଥା ଖରାପ ହୋଇପଡ଼ିଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ରାସ୍ତାର ମରାମତି ପାଇଁ ବାରମ୍ବାର ଦାବି କରାଯାଉଥିଲେ ମଧ୍ୟ ଏଯାଏଁ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା କୁହାଯାଉଛି।ଗୋଟିଏ ପଟେ ସରକାର ଗ୍ରାମାଞ୍ଚଳର ବିକାଶ ଓ ଉନ୍ନତ ସ୍ୱାସ୍ଥ୍ୟସେବା ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ଅନ୍ୟପଟେ ଡେମାଗୁଡ଼ି ଭଳି ଗାଁରେ ରୋଗୀଙ୍କୁ ଭାରରେ ବୋହି ମେଡିକାଲ ନେବା ଘଟଣା ଚିନ୍ତାର ବିଷୟ ପାଲଟିଛି। ରାସ୍ତାର ଦୁରବସ୍ଥା ଯୋଗୁଁ ଯଦି ଜରୁରୀ ସମୟରେ ଆମ୍ବୁଲାନ୍ସ ଗାଁରେ ପହଞ୍ଚିପାରୁନାହିଁ, ତେବେ ଗ୍ରାମବାସୀଙ୍କୁ ଉନ୍ନତ ସ୍ୱାସ୍ଥ୍ୟସେବା ମିଳିବ କିପରି? ଏହାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ତେଣୁ ଜିଲ୍ଲା ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ତୁରନ୍ତ ଡେମାଗୁଡ଼ି ଗାଁର ରାସ୍ତା ସମସ୍ୟା ଉପରେ ଦୃଷ୍ଟି ଦେଇ ମରାମତି କାର୍ଯ୍ୟ ଆରମ୍ଭ କରିବା ସହ ଗାଁକୁ ଆମ୍ବୁଲାନ୍ସ ଯାତାୟାତର ସୁବିଧା ସୁନିଶ୍ଚିତ କରିବାକୁ ଦାବି ହେଉଛି। ରାସ୍ତାର ଦୁରବସ୍ଥା କେବେ ଦୂର ହେବ ଏବଂ ଗ୍ରାମବାସୀଙ୍କ ଦୀର୍ଘଦିନର ଦୁର୍ଦ୍ଦଶା କେବେ ଶେଷ ହେବ, ତାହା ଏବେ ଦେଖିବାକୁ ବାକି ରହିଲା।
BACK TO TOP