Breaking
News
Breaking
News
08-Oct-2026
ଉପ ଜିଲ୍ଲାପାଳଙ୍କ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ
ଛାତ୍ର ସଂସଦ ନିର୍ବାଚନ ପାଇଁ ଆଇନଶୃଙ୍ଖଳା ସ୍ଥିତି ଅନୁଧ୍ୟାନ ||
ଓଡିଶା ଜନ ମତ,ବିଞ୍ଝାରପୁର, ୮।୧୦,,
ପ୍ରଦୀପ କୁମାର ମଲ୍ଲିକ :----
ଆଗାମୀ ଛାତ୍ର ସଂସଦ ନିର୍ବାଚନ ପରିପ୍ରେକ୍ଷୀରେ ଆଇନଶୃଙ୍ଖଳା ସ୍ଥିତି ଅନୁଧ୍ୟାନ କରିବା ପାଇଁ ଉପଜିଲ୍ଲାପାଳ ତଥା ଖରସ୍ରୋତା ମହାବିଦ୍ୟାଳୟ ଗଭର୍ଣ୍ଣିଂ ବଡି ସଭାପତି ତାପସ ରଞ୍ଜନ ଦେହୁରୀ ଆଜି ବିଞ୍ଝାରପୁର ବ୍ଲକ୍ ଅନ୍ତର୍ଗତ ଖରସ୍ରୋତା ମହାବିଦ୍ୟାଳୟ ପରିଦର୍ଶନ କରିଛନ୍ତି। ତାଙ୍କ ସହ ଏଡିଏମ୍ ଯୁଧିଷ୍ଠିର ନାୟକ, ଏସ୍ଡିପିଓ ପ୍ରଶାନ୍ତ ମାଝୀ, ଆଇଆଇସି ପାର୍ବତୀ ମଲ୍ଲିକ, ତହସିଲଦାର ପ୍ରମୋଦ କୁମାର ବାସ୍କେ ଓ ବିଡିଓ ଛବିରାଣୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।
ପରିଦର୍ଶନ ସମୟରେ ମହାବିଦ୍ୟାଳୟର ପରିବେଶ, ନିର୍ବାଚନ ପ୍ରସ୍ତୁତି ଓ ଆଇନଶୃଙ୍ଖଳା ସମ୍ପର୍କରେ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଥିଲା। ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଧାଂଶୁ କୁମାର ଦାସ ଉପଜିଲ୍ଲାପାଳଙ୍କୁ ଅନୁଷ୍ଠାନର ବର୍ତ୍ତମାନ ସ୍ଥିତି ଓ ନିର୍ବାଚନ ପ୍ରସ୍ତୁତି ସମ୍ପର୍କରେ ଅବଗତ କରାଇଥିଲେ। ମହାବିଦ୍ୟାଳୟ ପରିସରର ପରିବେଶ ସ୍ୱାଭାବିକ ଥିବାବେଳେ ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହେବ ବୋଲି ଅଧ୍ୟକ୍ଷ ଦାସ କହିଥିଲେ। ଛାତ୍ରଛାତ୍ରୀମାନେ ମଧ୍ୟ ପାଠପଢ଼ାରେ ଧ୍ୟାନ ଦେଉଥିବା ସେ ସୂଚନା ଦେଇଥିଲେ।ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେବାକୁ ଘୋଷଣା ହେବା ପରେ ବିଞ୍ଝାରପୁର ଅଞ୍ଚଳରେ କ୍ୟାମ୍ପସ ରାଜନୀତି ମଧ୍ୟ ସରଗରମ ହୋଇଛି। ବ୍ଲକ୍ର ବରୁଣେଶ୍ୱର ମହାବିଦ୍ୟାଳୟ, ଖରସ୍ରୋତା ମହାବିଦ୍ୟାଳୟ, ଯୁଣଭଦ୍ରା ମହାବିଦ୍ୟାଳୟ ଓ ଆଞ୍ଚଳିକ ବଳଦେବଜୀଉ ମହିଳା ମହାବିଦ୍ୟାଳୟ ପକ୍ଷରୁ ବୁଧବାର ନିର୍ବାଚନ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇଛି।ବିଜ୍ଞପ୍ତି ପ୍ରକାଶ ପରେ ବିଭିନ୍ନ ପଦବୀ ପାଇଁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଆସନ୍ତା ୧୫ ତାରିଖରେ ଛାତ୍ର ସଂସଦ ସଭାପତି, ଉପସଭାପତି, ସମ୍ପାଦକ, ସହକାରୀ ସମ୍ପାଦକ, କ୍ରୀଡ଼ା ସଂଘ ସମ୍ପାଦକ, କ୍ରୀଡ଼ା ସମାଜ ସମ୍ପାଦକ, ନାଟ୍ୟ ସମାଜ ସହକାରୀ ସମ୍ପାଦକ, ଡିଏସ୍ଏ ସମ୍ପାଦକ ଓ ଡିଏସ୍ଏ ସହକାରୀ ସମ୍ପାଦକ ପଦବୀ ପାଇଁ ନିର୍ବାଚନ ହେବ।ନାମାଙ୍କନପତ୍ର ଦାଖଲ, ଯାଞ୍ଚ ଓ ପ୍ରତ୍ୟାହାର ପାଇଁ ନିର୍ଦ୍ଧାରିତ ସମୟସୀମା ରହିଥିବା ବେଳେ ନିର୍ବାଚନ ନିର୍ଦ୍ଦେଶାବଳୀ ଓ ଆଚରଣବିଧି କଡ଼ାକଡ଼ି ପାଳନ କରିବାକୁ କଲେଜ କର୍ତ୍ତୃପକ୍ଷ କହିଛନ୍ତି। ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ବରୁଣେଶ୍ୱର ମହାବିଦ୍ୟାଳୟ ଅଧ୍ୟକ୍ଷ ଅଜୟ କୁମାର ମହାକୁଡ଼, ଖରସ୍ରୋତା ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଧାଂଶୁ କୁମାର ଦାସ, ଯୁଣଭଦ୍ରା ମହାବିଦ୍ୟାଳୟ ଅଧ୍ୟକ୍ଷ ଏମ୍ଆର୍ ଲେଙ୍କା ଓ ଆଞ୍ଚଳିକ ବଳଦେବଜୀଉ ମହିଳା ମହାବିଦ୍ୟାଳୟ ଅଧ୍ୟକ୍ଷ ରବିନାରାୟଣ ପାଣି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି।ନିର୍ବାଚନକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଆଇନଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖାଯାଇଛି। ଶାନ୍ତିପୂର୍ଣ୍ଣ ପରିବେଶରେ ନିର୍ବାଚନ ସମ୍ପନ୍ନ କରିବା ଏବଂ ଛାତ୍ରଛାତ୍ରୀଙ୍କ ଶିକ୍ଷା ପରିବେଶ ଅକ୍ଷୁଣ୍ଣ ରଖିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି।
BACK TO TOP