Breaking
News
Breaking
News
04-Oct-2026
ଜାତୀୟ ଜୁନିୟର ଥ୍ରୋ-ବଲ୍ରେ ପୋଲମା ବିଦ୍ୟାଳୟ ଛାତ୍ର ସୁଶାନ୍ତଙ୍କୁ ସ୍ୱର୍ଣ୍ଣ
ଓଡିଶା ଜନମତ ରାୟଗଡା,୪/୧୦,
କାମେଶ୍ୱର କରକରିଆ :------
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ପୋଲମା ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ସୁଶାନ୍ତ ମଣ୍ଡିକା ଜାତୀୟ ସ୍ତରରେ ନିଜ ପ୍ରତିଭାର ଛାପ ଛାଡ଼ି ସମଗ୍ର ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି। ମହାରାଷ୍ଟ୍ରର ନାସିକଠାରେ ଆୟୋଜିତ ଜାତୀୟ ଜୁନିୟର ଥ୍ରୋ-ବଲ୍ ପ୍ରତିଯୋଗିତାରେ ସେ ଚମତ୍କାର କ୍ରୀଡ଼ା କୌଶଳ ପ୍ରଦର୍ଶନ କରି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସୁଶାନ୍ତ ସ୍ଥାନୀୟ ଧାମୁଣିପାଙ୍ଗା ପଞ୍ଚାୟତର ଗୁଣ୍ଡୁରୀଗୁଡ଼ା ଗ୍ରାମର ବାସିନ୍ଦା।
ସୂଚନା ଅନୁଯାୟୀ, ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ ବାବୁଲା ମେଲାକାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ମାର୍ଗଦର୍ଶନରେ ସୁଶାନ୍ତ ନିୟମିତ କଠିନ ଅଭ୍ୟାସ ଜାରି ରଖିଥିଲେ। ନିଜର ଅକ୍ଲାନ୍ତ ପରିଶ୍ରମ, ନିଷ୍ଠା ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ସେ ଆଜି ଜାତୀୟ ସ୍ତରରେ ଏହି ବିରଳ କୃତିତ୍ୱ ଅର୍ଜନ କରିପାରିଛନ୍ତି।
ସ୍ୱର୍ଣ୍ଣ ପଦକ ବିଜୟୀ ହୋଇ ଫେରିବା ପରେ ସ୍ଥାନୀୟ ରେଳ ଷ୍ଟେସନରେ ସୁଶାନ୍ତଙ୍କୁ ବିପୁଳ ଉତ୍ସାହ ସହକାରେ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଗ୍ରାମବାସୀ ତଥା ସ୍ଥାନୀୟ କ୍ରୀଡ଼ାପ୍ରେମୀମାନେ ଉପସ୍ଥିତ ରହି ତାଙ୍କୁ ଉତ୍ସାହିତ କରିବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ସୁଶାନ୍ତଙ୍କ ଏହି ଅସାଧାରଣ ସଫଳତା ପାଇଁ ସମଗ୍ର କଲ୍ୟାଣସିଂହପୁର ତଥା ରାୟଗଡ଼ା ଜିଲ୍ଲାରେ ଏବେ ଖୁସି ଓ ଉତ୍ସାହର ମାହୋଲ ସୃଷ୍ଟି ହୋଇଛି।
BACK TO TOP