Breaking
News
Breaking
News
30-Aug-2026
କୋଶଲ ଟାଇମ୍ ଆନୁକୂଲ୍ୟରେ ଗଙ୍ଗାଧର ଜୟନ୍ତୀ ଓ ପ୍ରଫେସର ଘନଶ୍ୟାମ ଦାସ ସ୍ମୃତିସଭା
ଓଡିଶା ଜନମତ ବରଗଡ଼ - ମନୋହର ଦାଶ
ପଦ୍ମପୁର ସ୍ଥିତ ଜେନିଥ ଲାୟନ୍ସ ଗୁରୁକୁଳ କ୍ୟାମ୍ପସରେ ପାକ୍ଷିକ ପତ୍ରିକା ‘କୋଶଲ ଟାଇମ୍’ ଆନୁକୂଲ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ଏବଂ ପ୍ରଫେସର ଘନଶ୍ୟାମ ଦାସଙ୍କ ସ୍ମୃତିସଭା ଓ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଛି । କାର୍ଯ୍ୟକ୍ରମର ଆରମ୍ଭରେ କଣ୍ଠଶିଳ୍ପୀ ଶକ୍ତି ସ୍ବରୂପା ପଣ୍ଡା ‘ମଙ୍ଗଳେ ଅଇଲା ଉଷା’ ସଙ୍ଗୀତ ପରିବେଷଣ କରିଥିଲେ । ପରେ ଅତିଥିମାନେ ଦୀପ ପ୍ରଜ୍ଜ୍ୱଳନ କରିବା ସହ ଗଙ୍ଗାଧର ମେହେର ଓ ପ୍ରଫେସର ଘନଶ୍ୟାମ ଦାସଙ୍କ ଫଟୋଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରିଥିଲେ । ନିକଟରେ ପରଲୋକଗମନ କରିଥିବା ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁଙ୍କ ସଦ୍ଗତି କାମନା କରି ଏକ ମିନିଟ୍ ନିରବ ପ୍ରାର୍ଥନା ମଧ୍ୟ କରାଯାଇଥିଲା । ସମାରୋହରେ ବରଗଡ଼ ଲୋକସଭା ସାଂସଦ ପ୍ରଦୀପ ପୁରୋହିତ ଉଦ୍ଘାଟକ ଭାବେ ଯୋଗଦେଇଥିବା ବେଳେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଭୂତି ଭୂଷଣ ମଲ୍ଲିକ, ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ସରୋଜିନୀ ପ୍ରସନ୍ନ କୁଲୁ, ବରଗଡ଼ ବନଖଣ୍ଡ ଅଧିକାରୀ ଅଭିଷେକ ବରିହା ଏବଂ ଓଟିଭିର ଡେପୁଟି ସିଓଓ ତଥା ବିଜନେସ୍ ହେଡ୍ ଲିତିଶା ମଙ୍ଗତ ପଣ୍ଡା ଯୋଗଦେଇ ଗଙ୍ଗାଧର ମେହେର ଓ ପ୍ରଫେସର ଘନଶ୍ୟାମ ଦାସଙ୍କ ସାହିତ୍ୟିକ ଓ ସାମାଜିକ ଅବଦାନକୁ ସ୍ମରଣ କରିଥିଲେ । ବକ୍ତାମାନେ କହିଥିଲେ, ଗଙ୍ଗାଧର ମେହେରଙ୍କ ସାହିତ୍ୟ ଓ କାବ୍ୟ ଚେତନା ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରିଛି । ତାଙ୍କ ମହତ୍ତ୍ୱକୁ ଲୋକଲୋଚନକୁ ଆଣିବାରେ ପ୍ରଫେସର ଘନଶ୍ୟାମ ଦାସଙ୍କ ଅବଦାନ ମଧ୍ୟ ଅତୁଳନୀୟ ବୋଲି ମତ ପ୍ରକାଶ ପାଇଥିଲା । ଏହି ଅବସରରେ ‘କୋଶଲ ଟାଇମ୍ ମରଣୋତ୍ତର ସମ୍ମାନ’ରେ ସାହିତ୍ୟିକ ଓ ବହୁମୁଖୀ ପ୍ରତିଭା ସ୍ୱର୍ଗତ ହଟକିଶୋର ପାଣିଗ୍ରାହୀ ଏବଂ ଡକ୍ଟର ଗଙ୍ଗାଧର ଗୁରୁଙ୍କୁ ସମ୍ମାନିତ କରାଯାଇଥିଲା । ଉଭୟଙ୍କ ପୁତ୍ର ଏହି ସମ୍ମାନ ଗ୍ରହଣ କରିଥିଲେ । ସେହିପରି ପଦ୍ମପୁର ଅଞ୍ଚଳର ସାହିତ୍ୟ, ସଂସ୍କୃତି, କ୍ରୀଡ଼ା, ଗବେଷଣା ଓ ପରିବେଶ ସୁରକ୍ଷା କ୍ଷେତ୍ରରେ ଅବଦାନ ରଖିଥିବା ୯ ଜଣ ପ୍ରତିଭାଙ୍କୁ ‘କୋଶଲ ଟାଇମ୍ ପ୍ରତିଭା ସମ୍ମାନ’ ପ୍ରଦାନ କରାଯାଇଥିଲା । ପ୍ରଫେସର ଘନଶ୍ୟାମ ଦାସ ମେଧାସମ୍ମାନ ମଧ୍ୟ ଏହି ଅବସରର ଅନ୍ୟତମ ଆକର୍ଷଣ ଥିଲା । ଅଭାବ ଅନାଟନ ସତ୍ତ୍ବେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ପଦ୍ମପୁର ଉପଖଣ୍ଡର ୮ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏଥିସହ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ପ୍ରବନ୍ଧ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାର ୨୦ ଜଣ କୃତୀ ପ୍ରତିଯୋଗୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । କାର୍ଯ୍ୟକ୍ରମରେ ଜେନିଥ ଲାୟନ୍ସ ଗୁରୁକୁଳର ଛାତ୍ରଛାତ୍ରୀଙ୍କ ପକ୍ଷରୁ ‘ଭାବର ଲହରୀ’ ଓ ‘ଛୁଆ ବେଲର ଖେଲ’ ନାମରେ ସାଂସ୍କୃତିକ ପରିବେଷଣ ହୋଇଥିଲା । ଛାତ୍ରୀ ନିରୁପମା ଲୁହାର ଗଙ୍ଗାଧର ସଙ୍ଗୀତରେ ଓଡ଼ିଶୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ । କବୟିତ୍ରୀ ପ୍ରବାସିନୀ ହୋତା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ‘କୋଶଲ ଟାଇମ୍’ର ସମ୍ପାଦକ ସଞ୍ଜୀବ କୁମାର ମହାପାତ୍ରଙ୍କ ତତ୍ତ୍ବାବଧାନରେ ସମାରୋହ ପରିଚାଳିତ ହୋଇଥିଲା । ଶେଷରେ ଜେନିଥ ଲାୟନ୍ସ ଗୁରୁକୁଳର ଅଧ୍ୟକ୍ଷ ମନୋଜ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । ସମାରୋହରେ ଶତାଧିକ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଜନସାଧାରଣ ଯୋଗଦେଇ ଗଙ୍ଗାଧର ମେହେରଙ୍କ ସାହିତ୍ୟିକ ଚେତନା ଏବଂ ପ୍ରଫେସର ଘନଶ୍ୟାମ ଦାସଙ୍କ ସ୍ମୃତିକୁ ସମ୍ମାନ ଜଣାଇଥିଲେ ।
BACK TO TOP