Breaking
News
Breaking
News
14-Nov-2026
ଶିଶୁ ଦିବସ ଅବସରରେ ବାଲ୍ୟ ବିବାହ ନିରାକରଣ ଓ ନିଶାଦ୍ରବ୍ୟ ସେବନର କୁପରିଣାମ ସମ୍ପର୍କରେ ସଚେତନତା ଶିବିର ଅନୁଷ୍ଠିତ
ଓଡିଶା ଜନମତ ରାୟଗଡ଼, ୧୪/୧୧,
କାମେଶ୍ୱର କରକରିଆ : -----
ଶିଶୁ ଦିବସ ଅବସରରେ ବାଲ୍ୟ ବିବାହ ନିରାକରଣ ଏବଂ ନିଶାଦ୍ରବ୍ୟ ସେବନର କୁପରିଣାମ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ଜିଲ୍ଲା ଆଇନସେବା ପ୍ରାଧିକରଣ, ରାୟଗଡ଼ ଆନୁକୂଲ୍ୟରେ ଏକ ସଚେତନତା ଶିବିର ଆଜି ସକାଳ ୧୧.୩୦ ମିନିଟ୍ରେ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ହାଲୁଆ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରା ଜଜ୍ ଶ୍ରୀ ଦାମୋଦର ରଥଙ୍କ ପରାମର୍ଶକ୍ରମେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିଲେ। ଅନ୍ୟତମ ଅତିଥି ଭାବେ ଜିଲ୍ଲା ଆଇନସେବା ପ୍ରାଧିକରଣର ପାନେଲ ଓକିଲ ଶ୍ରୀ ଦେବରାଜ ନାଏକ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ସମେତ ଅନ୍ୟ ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ମଞ୍ଚାସୀନ ଥିଲେ।
ଏହି ଅବସରରେ ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟ ବାଲ୍ୟ ବିବାହକୁ ଏକ ଗୁରୁତର ସାମାଜିକ ବ୍ୟାଧି ଭାବେ ଅଭିହିତ କରି ଏହା ଶିଶୁମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ମାନସିକ ବିକାଶ ଓ ଭବିଷ୍ୟତ ଉପରେ ଗଭୀର କୁପ୍ରଭାବ ପକାଇଥାଏ ବୋଲି ଉଲ୍ଲେଖ କରିଥିଲେ। ବାଲ୍ୟ ବିବାହ ଭଳି ସାମାଜିକ କୁପ୍ରଥାର ମୂଳୋତ୍ପାଟନ ପାଇଁ ଅଭିଭାବକ, ଶିକ୍ଷକ, ଛାତ୍ରଛାତ୍ରୀ ଏବଂ ସମାଜର ପ୍ରତ୍ୟେକ ବର୍ଗର ସକ୍ରିୟ ସହଯୋଗ ଅତ୍ୟନ୍ତ ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ। ଅନ୍ୟ ଅତିଥିମାନେ ନିଜ ଅଭିଭାଷଣରେ ଶିଶୁ ସୁରକ୍ଷା ଆଇନ, ଶିଶୁମାନଙ୍କ ଆଇନଗତ ଅଧିକାର ଏବଂ ବାଲ୍ୟ ବିବାହ ନିରୋଧ ଆଇନର ବିଭିନ୍ନ ବ୍ୟବସ୍ଥା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ଏଥିସହ ନିଶାଦ୍ରବ୍ୟ ସେବନର ଭୟାବହ ପରିଣାମ ଓ ଏହାର ନକାରାତ୍ମକ ପ୍ରଭାବ ସମ୍ପର୍କରେ ସଚେତନ ରହିବା ସହ ଏକ ସୁସ୍ଥ ଜୀବନଶୈଳୀ ଆପଣାଇବାକୁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। ଏଥିସହ ଉତ୍ତମ ଚରିତ୍ର ଗଠନ, ଶିକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ଗଠନ ଦିଗରେ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରାଯାଇଥିଲା। ଶିଶୁମାନଙ୍କ ସୁରକ୍ଷା, ଅଧିକାରର ସୁରକ୍ଷା ଏବଂ ଏକ ସୁସ୍ଥ ଓ ସଚେତନ ସମାଜ ଗଠନ ଦିଗରେ ଏଭଳି ସଚେତନତା କାର୍ଯ୍ୟକ୍ରମର ଗୁରୁତ୍ୱ ରହିଛି। ବିଦ୍ୟାଳୟର ଛାତ୍ରଛାତ୍ରୀ, ଅତିଥିବୃନ୍ଦ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସକ୍ରିୟ ଉପସ୍ଥିତି ସହ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀ ସୁବ୍ରତ ଆଚାର୍ଯ୍ୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମଟି ସଫଳତାର ସହ ସମାପନ ହୋଇଥିଲା।
BACK TO TOP