Breaking
News
Breaking
News
09-Nov-2026
କଲ୍ୟାଣସିଂହପୁରରେ ନ୍ୟାୟାଳୟ ପ୍ରତିଷ୍ଠା ନେଇ ଆଶା ଉଜ୍ଜ୍ୱଳ
ଅସ୍ଥାୟୀ କୋର୍ଟ ପାଇଁ ପୁରୁଣା ସ୍ୱାସ୍ଥ୍ୟକେନ୍ଦ୍ର ପରିଦର୍ଶନ କଲେ ଜିଲ୍ଲା ଦୌରାଜଜ୍
ଓଡିଶା ଜନମତ ରାୟଗଡା , ୮।୧୧ (କାମେଶ୍ୱର କରକରିଆ): ଦୀର୍ଘ ବର୍ଷର ଦାବି ଓ ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି। ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର ବ୍ଲକରେ ନ୍ୟାୟାଳୟ ପ୍ରତିଷ୍ଠା ନେଇ ଆଶାର ଆଲୋକ ଦେଖାଦେଇଛି। ଏଠାରେ ଅସ୍ଥାୟୀ ଭାବେ ନ୍ୟାୟାଳୟର କାର୍ଯ୍ୟ ଆରମ୍ଭ କରିବା ନିମନ୍ତେ ରାୟଗଡ଼ା ଜିଲ୍ଲା ଦୌରାଜଜ୍ ଦାମୋଦର ରଥ ପୁରୁଣା ସ୍ୱାସ୍ଥ୍ୟକେନ୍ଦ୍ର ପରିସର ପରିଦର୍ଶନ କରି ଭିତ୍ତିଭୂମିର ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଥିସହ ସ୍ଥାୟୀ ନ୍ୟାୟାଳୟ ନିର୍ମାଣ ପାଇଁ ଚିହ୍ନଟ ହୋଇଥିବା ଜମି ମଧ୍ୟ ପରିଦର୍ଶନ କରିଛନ୍ତି। ସୂଚନା ଅନୁଯାୟୀ, କଲ୍ୟାଣସିଂହପୁର ବ୍ଲକର ଅନେକ ଅଞ୍ଚଳର ଲୋକଙ୍କୁ ନ୍ୟାୟିକ ସେବା ପାଇବା ପାଇଁ ପ୍ରାୟ ୫୦ କିଲୋମିଟର ଦୂର ଯାତ୍ରା କରି ରାୟଗଡ଼ା ଯିବାକୁ ପଡ଼ୁଛି। ଏହାଦ୍ୱାରା ଗରିବ, ଆଦିବାସୀ ଓ ଦୂରଦୂରାନ୍ତରେ ରହୁଥିବା ଲୋକେ ଅନେକ ସମୟରେ ଯାତାୟାତ ଖର୍ଚ୍ଚ ଓ ସମୟ ଅପଚୟର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ କଲ୍ୟାଣସିଂହପୁରଠାରେ ନ୍ୟାୟାଳୟ ପ୍ରତିଷ୍ଠା ହେଲେ ଅଞ୍ଚଳବାସୀଙ୍କୁ ନିଜ ଅଞ୍ଚଳରେ ନ୍ୟାୟିକ ସେବା ମିଳିବା ସହ ବହୁ ଆଶ୍ୱସ୍ତି ମିଳିପାରିବ। ନୂତନ ନ୍ୟାୟାଳୟ କୋଠା ନିର୍ମାଣ ଶେଷ ହେବା ପର୍ଯ୍ୟନ୍ତ ପୁରୁଣା ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅସ୍ଥାୟୀ ଭାବେ କୋର୍ଟ କାର୍ଯ୍ୟ ଆରମ୍ଭ କରିବାର ସମ୍ଭାବନାକୁ ନେଇ ଜିଲ୍ଲା ଦୌରାଜଜ୍ ଶ୍ରୀ ରଥ ସ୍ଥାନ ପରିଦର୍ଶନ କରିଥିଲେ। ସେଠାରେ ଉପଲବ୍ଧ କୋଠା, ଆବଶ୍ୟକ ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ଯାଞ୍ଚ କରିଥିଲେ। ଏଥିସହ ସ୍ଥାୟୀ କୋର୍ଟ ନିର୍ମାଣ ପାଇଁ ଚିହ୍ନଟ ସ୍ଥାନର ସ୍ଥିତି ମଧ୍ୟ ଅନୁଧ୍ୟାନ କରିଥିଲେ। ଏହି ପରିଦର୍ଶନ ସମୟରେ ଜିଲ୍ଲା ରେଜିଷ୍ଟ୍ରାର ରାଣା ଘୋଷ, ଅତିରିକ୍ତ ସ୍ୱତନ୍ତ୍ର ଜିଲ୍ଲା ଦୌରାଜଜ୍ ସଞ୍ଜିତ କୁମାର ବେହେରା, ଅତିରିକ୍ତ ତହସିଲଦାର ଅନାଦି ଶବର, ଆର୍.ଡି. ବିଭାଗର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ କୃଷ୍ଣପ୍ରିୟା ଗମାଙ୍ଗ, କନିଷ୍ଠ ଯନ୍ତ୍ରୀ ରାକେଶ ମହାପାତ୍ର, ସହକାରୀ ଯନ୍ତ୍ରୀ କ୍ଷୀରଦ କାଲ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଅଧିକାରିଣୀ ଡାକ୍ତର ଗଣିସେଟ୍ଟୀ ଶୈଳଜା ଓ ଥାନା ଅଧିକାରୀ ଅଜିତ କୁମାର ପରିଡ଼ାଙ୍କ ସମେତ ଆଇନଜୀବୀ, ବିଭିନ୍ନ ବିଭାଗର ଅଧିକାରୀ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। ଜିଲ୍ଲା ଦୌରାଜଜ୍ଙ୍କ ଏହି ପରିଦର୍ଶନ ପରେ କଲ୍ୟାଣସିଂହପୁରରେ ନ୍ୟାୟାଳୟ ପ୍ରତିଷ୍ଠା ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର ହୋଇଛି। ତେବେ ଦୀର୍ଘଦିନର ଏହି ଦାବି କେବେ ବାସ୍ତବ ରୂପ ନେବ ଏବଂ ଅସ୍ଥାୟୀ କୋର୍ଟ କାର୍ଯ୍ୟ କେବେ ଆରମ୍ଭ ହେବ, ତାହାକୁ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।
BACK TO TOP