Breaking
News
Breaking
News
16-Oct-2026
ଗୋଆ ଗଞ୍ଜେଇ ମାମଲାରେ ରାୟଗଡ଼ାରୁ ଅଭିଯୁକ୍ତ ଯୋଗାଣକାରୀ ଗିରଫ
୧୦.୭୫୪ କିଲୋ ଗଞ୍ଜେଇ ଜବତ ଘଟଣାର ପଛୁଆ ଲିଙ୍କ୍ ଠାବ କଲା କ୍ରାଇମବ୍ରାଞ୍ଚ
ଓଡିଶା ଜନମତ ରାୟଗଡ଼ା, ୧୬/୧୦,
କାମେଶ୍ୱର କରକରିଆ :- ----
ଗଞ୍ଜେଇ ଚୋରା ଚାଲାଣ ବିରୋଧରେ ଗୋଆ କ୍ରାଇମବ୍ରାଞ୍ଚକୁ ମିଳିଛି ଏକ ବଡ଼ ସଫଳତା। ଗୋଆରେ ଗଞ୍ଜେଇ ଜବତ ଘଟଣାର ତଦନ୍ତ କରି ଏହାର କଥିତ ଯୋଗାଣକାରୀଙ୍କୁ ଓଡ଼ିଶାର ରାୟଗଡ଼ା ଜିଲ୍ଲାରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଗିରଫ ଅଭିଯୁକ୍ତ ହେଉଛନ୍ତି ୨୯ ବର୍ଷୀୟ ନକୁଳା ନାଏକ। ସେ ରାୟଗଡ଼ା ଜିଲ୍ଲାର କୁଚେଇପଦର ଅଞ୍ଚଳର ବାହାରମୁସକୁନି ଗ୍ରାମର ବାସିନ୍ଦା ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଗତ ସେପ୍ଟେମ୍ବର ୨୫ ତାରିଖରେ ଗୋଆ କ୍ରାଇମବ୍ରାଞ୍ଚ ପୁଲିସ ପ୍ରାୟ ୧୦.୭୫୪ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲା। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ୫୦ ହଜାର ଟଙ୍କା ବୋଲି ଆକଳନ କରାଯାଇଥିଲା। ଏହି ଘଟଣାରେ ଏନ୍ଡିପିଏସ୍ ଆଇନ, ୧୯୮୫ ସମେତ ସମ୍ପୃକ୍ତ ଆଇନର ବିଭିନ୍ନ ଧାରାରେ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତ ସମୟରେ ଗୋଆ କ୍ରାଇମବ୍ରାଞ୍ଚ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ୨୪ ବର୍ଷୀୟ ଗୋକୁଳା ଜେନାଙ୍କୁ ଗିରଫ କରିଥିବା ବେଳେ ଆଇନ ସହ ସଂଘର୍ଷରେ ଥିବା ଜଣେ ୧୭ ବର୍ଷୀୟ ନାବାଳକଙ୍କୁ ମଧ୍ୟ ଅଟକ ରଖିଥିଲା। ତେବେ ଗଞ୍ଜେଇ ଜବତ ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ନିକଟରେ ତଦନ୍ତକୁ ସୀମିତ ନରଖି ଗଞ୍ଜେଇ କେଉଁଠାରୁ ଆସିଥିଲା ଏବଂ ଏହାର ଯୋଗାଣ ଶୃଙ୍ଖଳାରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି, ସେ ଦିଗରେ ତଦନ୍ତକୁ ଆଗକୁ ବଢ଼ାଇଥିଲା କ୍ରାଇମବ୍ରାଞ୍ଚ।
ବୈଷୟିକ ନିରୀକ୍ଷଣ ଓ ଓଡ଼ିଶା ପୁଲିସ ସହ ସମନ୍ୱୟ ରକ୍ଷା କରି ତଦନ୍ତ କରିବା ପରେ ନକୁଳା ନାଏକଙ୍କୁ ଏହି ଗଞ୍ଜେଇର କଥିତ ଯୋଗାଣକାରୀ ଭାବେ ଚିହ୍ନଟ କରାଯାଇଥିଲା। ଏହାପରେ ପିଆଇ ବିକାଶ ଦେଇକରଙ୍କ ନେତୃତ୍ୱରେ ଗୋଆ କ୍ରାଇମବ୍ରାଞ୍ଚର ଏକ ସ୍ୱତନ୍ତ୍ର ଟିମ୍ ରାୟଗଡ଼ା ଜିଲ୍ଲାକୁ ଆସିଥିଲା। ଦୋରାଗୁଡ଼ା ଥାନା ପୁଲିସର ସହଯୋଗରେ ଅଭିଯୁକ୍ତଙ୍କୁ ଠାବ କରି ଗିରଫ କରିବା ପରେ ଅଧିକ ତଦନ୍ତ ପାଇଁ ଗୋଆର ରିବନ୍ଦରସ୍ଥିତ କ୍ରାଇମବ୍ରାଞ୍ଚ ଥାନାକୁ ନିଆଯାଇଛି।ପୁଲିସ ସୂଚନା ଅନୁଯାୟୀ, ଏହି ମାମଲାରେ ଗଞ୍ଜେଇ ଜବତ ଓ ଅଭିଯୁକ୍ତଙ୍କ ଗିରଫଦାରୀ ସହିତ ଆନ୍ତଃରାଜ୍ୟ ନିଶା କାରବାରର ସମ୍ପୂର୍ଣ୍ଣ ନେଟୱାର୍କକୁ ଠାବ କରିବା ଉପରେ ଗୁରୁତ୍ୱ ଦିଆଯାଉଛି। ଏହି ଚୋରା ଚାଲାଣରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଗଞ୍ଜେଇ କେଉଁ ରାସ୍ତାରେ ଗୋଆକୁ ଯୋଗାଣ ହେଉଥିଲା, ସେନେଇ ତଦନ୍ତ ଜାରି ରହିଛି। ଡିୱାଇଏସ୍ପି କ୍ରାଇମ୍ର ଦାୟିତ୍ୱରେ ଥିବା ଏସ୍ପି ଜିଭବା ଡାଲଭି ଓ ଏସ୍ପି କ୍ରାଇମ୍ ଗୌରବ ସିକରୱାରଙ୍କ ତତ୍ତ୍ୱାବଧାନରେ ଏହି ଅଭିଯାନ ଚାଲିଥିବା ବେଳେ କ୍ରାଇମବ୍ରାଞ୍ଚ ପୁଲିସ ଷ୍ଟେସନର ପିଆଇ ବିକାଶ ଦେଇକର ଘଟଣାର ଅଧିକ ତଦନ୍ତ କରୁଛନ୍ତି।
BACK TO TOP