Breaking
News
Breaking
News
07-Oct-2026
ଧୁମ୍ଧାମରେ ସରିଲା ଗଜାନନଙ୍କ ଭସାଣି ଉତ୍ସବ
୨୩ ଦିନର ପୂଜା ପରେ କଲ୍ୟାଣୀ ନଦୀରେ ବିସର୍ଜନ, ଭସାଣିରେ ଜମିଲା ହଜାର ହଜାର ଲୋକଙ୍କ ଭିଡ଼
ଓଡିଶା ଜନମତ ରାୟଗଡା -୬/୧୦(କାମେଶ୍ୱର କରକରିଆ)
ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସଦର ପଞ୍ଚାୟତ ଅନ୍ତର୍ଗତ ବଡ଼ଦ୍ୱାର ସାହିରେ ଅଗ୍ରପୂଜ୍ୟ ଶ୍ରୀ ଗଜାନନଙ୍କ ଭସାଣି ଉତ୍ସବ ମଙ୍ଗଳବାର ଧୁମ୍ଧାମରେ ସମାପନ ହୋଇଛି। ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ୨୩ ଦିନ ଧରି ଗଜାନନଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ସକାଳ ଓ ସନ୍ଧ୍ୟାରେ ବିଧିବିଧାନ ଅନୁଯାୟୀ ପୂଜା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ବୁଗିବୁଗି ଡ୍ୟାନ୍ସ ପ୍ରତିଯୋଗିତା ଓ ଆନୁଷ୍ଠାନିକ ଡ୍ରାମା ଆଦି ୨୧ ଦିନ ଧରି ଆୟୋଜିତ ହୋଇଥିଲା। ଭସାଣି ଦିନ କଳାହାଣ୍ଡି ଜିଲ୍ଲା ଠେମରାର ଦିଲଦାର ମେଲୋଡି ବାଜାର ତାଳେ ତାଳେ ଯୁବକ ଓ ମହିଳାମାନେ ନାଚଗୀତରେ ମସଗୁଲ ହୋଇଥିଲେ। ରସଣି ଓ ବାଣ ଫୁଟାଇ ଶ୍ରୀ ଗଜାନନଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ସଦର ପରିକ୍ରମା କରାଯାଇଥିଲା। ପ୍ରାୟ ୬ ଘଣ୍ଟା ଧରି ଚାଲିଥିବା ଏହି ଭସାଣି ଶୋଭାଯାତ୍ରାରେ ସମଗ୍ର କଲ୍ୟାଣସିଂହପୁର ସହର ଉତ୍ସବମୁଖର ହୋଇଉଠିଥିଲା। ପରେ ଶ୍ରୀ ଗଜାନନଙ୍କ ମୂର୍ତ୍ତିକୁ ଶ୍ରଦ୍ଧା ଓ ଭକ୍ତିର ସହ କଲ୍ୟାଣୀ ନଦୀରେ ବିସର୍ଜନ କରାଯାଇଥିଲା। ଏହି ଅବସରରେ ଶ୍ରୀ ଗଜାନନଙ୍କ ୫ କିଲୋ ଓଜନର ଲଡୁ ନିଲାମ କରାଯାଇଥିଲା। ନିଲାମରେ ବଡ଼ଦ୍ୱାର ସାହିର ଜଳନ୍ତ ଭତ୍ରା ୧୨ ହଜାର ୧ ଟଙ୍କାରେ ଲଡୁଟିକୁ ନିଲାମରେ ନେଇ ବିଜେତା ହୋଇଥିଲେ। ଏହି ନିଲାମକୁ ନେଇ ମଧ୍ୟ ଭକ୍ତମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଇଥିଲା।ଭସାଣି ଉତ୍ସବରେ ଗ୍ରାମର ପିଲାଠାରୁ ବୃଦ୍ଧଙ୍କ ପର୍ଯ୍ୟନ୍ତ ଏବଂ ଶତାଧିକ ମହିଳାଙ୍କ ସମେତ ହଜାର ହଜାର ଲୋକ ସାମିଲ ହୋଇ ଉତ୍ସବକୁ ସଫଳ କରିଥିଲେ। ଦୀର୍ଘ ୨୩ ଦିନ ଧରି ଚାଲିଥିବା ଏହି ପୂଜା ଓ ଭସାଣି ଉତ୍ସବ କଲ୍ୟାଣସିଂହପୁର ବ୍ଲକରେ ଏକ ପ୍ରକାର ଚର୍ଚ୍ଚାର ବିଷୟ ପାଲଟିଥିଲା। ମା’ ବନବୈରବୀ ପୂଜା କମିଟି ଯୁବକ ସଂଘର ସଭାପତି ଅମର କୌଶଲ୍ୟା, ସମ୍ପାଦକ ହେମନ୍ତ କୌଶଲ୍ୟାଙ୍କ ସମେତ କମିଟିର ସମସ୍ତ ସଦସ୍ୟଙ୍କ ସହଯୋଗରେ ପୂଜା ଆରମ୍ଭରୁ ଭସାଣି ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ସୁଚାରୁ ରୂପେ ସମ୍ପନ୍ନ ହୋଇଥିବା ସଭାପତି ସୂଚନା ଦେଇଛନ୍ତି। ଚଳିତବର୍ଷ ଗଜାନନଙ୍କ ପୂଜା ପାଇଁ ପ୍ରାୟ ୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ଖର୍ଚ୍ଚ ହୋଇଥିବା ଜଣାପଡ଼ିଛି। ଗ୍ରାମର ୫ ଶହରୁ ଊର୍ଦ୍ଧ୍ୱ ଯୁବକଙ୍କଠାରୁ ପ୍ରତ୍ୟେକଙ୍କ ପାଖରୁ ୫ ହଜାର ଟଙ୍କା ଲେଖାଏଁ ଚାନ୍ଦା ଆଦାୟ କରି ପୂଜା ଆୟୋଜନ କରାଯାଇଥିବା ସୂଚନା ମିଳିଛି। ଦୀର୍ଘ ୨୩ ଦିନ ଧରି ପୂଜା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭସାଣିକୁ ନେଇ ବଡ଼ଦ୍ୱାର ସାହିରେ ଉତ୍ସବର ମାହୋଲ ଲାଗି ରହିଥିଲା। ଶେଷରେ ଭକ୍ତି ଓ ଉତ୍ସାହର ସହ ଗଜାନନଙ୍କୁ ବିଦାୟ ଦେଇଥିଲେ ଅଞ୍ଚଳବାସୀ।
BACK TO TOP