Breaking
News
Breaking
News
03-Oct-2026
କୁନି ଝିଅ ପାଇଁ ଘରେ ଘରେ ଛାତ୍ରଛାତ୍ରୀ
ସହାୟତାର ବାର୍ତ୍ତା ନେଇ ଅର୍ଥ ସଂଗ୍ରହ; ବିଡିଓଙ୍କୁ ପ୍ରଦାନ କଲେ ସଂଗୃହୀତ ଅର୍ଥ
ପାଠପଢ଼ା ସହ ସମାଜସେବାର ଅନନ୍ୟ ନଜିର; ଛାତ୍ରଛାତ୍ରୀଙ୍କ ମାନବିକତାକୁ ବିଡିଓଙ୍କ ପ୍ରଶଂସା
ହିଞ୍ଜିଳିକାଟୁ, ୩/୧୦: ପାଠପଢ଼ାର ବୟସରେ ସମାଜ ପାଇଁ କିଛି କରିବାର ଇଚ୍ଛା। ଜଣେ ଅସୁସ୍ଥ କୁନି ଝିଅର ଚିକିତ୍ସା ପାଇଁ ଘର ଘର ବୁଲି ସହାୟତା ମାଗିଲେ ଛାତ୍ରଛାତ୍ରୀ। ନିଜ ପାଇଁ ନୁହେଁ, ଜଣେ ଅଜଣା ଶିଶୁର ଜୀବନ ରକ୍ଷା ପାଇଁ ସେମାନଙ୍କ ଏହି ପ୍ରୟାସ ଏବେ ମାନବିକତାର ନିଆରା ଉଦାହରଣ ପାଲଟିଛି।
ନନ୍ଦିକ ପଞ୍ଚାୟତର କିଛି ଛାତ୍ରଛାତ୍ରୀ ଯାଜପୁର ଅଞ୍ଚଳର ୧୬ ମାସର କୁନି ଝିଅ ତ୍ରିଶିକାଙ୍କ ଚିକିତ୍ସା ପାଇଁ ସହାୟତାର ହାତ ବଢ଼ାଇଛନ୍ତି। ତ୍ରିଶିକା ‘SMA Type-2’ ରୋଗରେ ଆକ୍ରାନ୍ତ ଥିବା ଏବଂ ତାଙ୍କ ଚିକିତ୍ସା ପାଇଁ ବିପୁଳ ଅର୍ଥର ଆବଶ୍ୟକତା ଥିବା ନେଇ ବିଭିନ୍ନ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ସୂଚନା ପ୍ରଚାରିତ ହୋଇଥିଲା।
ଏହି ଖବର ନନ୍ଦିକର ଛାତ୍ରଛାତ୍ରୀଙ୍କ ମନକୁ ଛୁଇଁଥିଲା। ‘ଆମ ଛୋଟିଏ ସହଯୋଗ ହୁଏତ ଜଣେ କୁନି ଝିଅର ଜୀବନ ବଞ୍ଚାଇବାରେ ସହାୟକ ହୋଇପାରେ’—ଏହି ଚିନ୍ତାରେ ସେମାନେ ସହାୟତା ସଂଗ୍ରହ ପାଇଁ ଆଗେଇ ଆସିଥିଲେ। ଗାଁରେ ଘର ଘର ବୁଲି ତ୍ରିଶିକାଙ୍କ ଚିକିତ୍ସା ସମ୍ପର୍କରେ ଲୋକଙ୍କୁ ଅବଗତ କରାଇବା ସହ ନିଜ ସାଧ୍ୟ ଅନୁସାରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ।
ଗ୍ରାମବାସୀଙ୍କ ସହଯୋଗରେ ସଂଗୃହୀତ ଅର୍ଥରାଶିକୁ ଶନିବାର ହିଞ୍ଜିଳି ବିଡିଓ ସାଗରିକା ଷଡ଼ଙ୍ଗୀଙ୍କ ନିକଟରେ ପ୍ରଦାନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଏହି ମାନବିକ ପ୍ରୟାସ ସମ୍ପର୍କରେ ଜାଣି ବିଡିଓ ନନ୍ଦିକ ପଞ୍ଚାୟତ ପରିସରରେ ପହଞ୍ଚି ସେମାନଙ୍କୁ ପ୍ରଶଂସା କରିଥିଲେ ଏବଂ ଉତ୍ସାହିତ କରିଥିଲେ।
ପାଠପଢ଼ା ସହ ସମାଜ ପ୍ରତି ଦାୟିତ୍ୱବୋଧ, ସେବା ମନୋଭାବ ଓ ମାନବିକତାକୁ ଜୀବନର ଅଂଶ କରି ଆଗକୁ ବଢ଼ିବାକୁ ବିଡିଓ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ସେମାନଙ୍କ ଏହି ଉଦ୍ୟମ ଅନ୍ୟ ଯୁବପିଢ଼ିଙ୍କୁ ମଧ୍ୟ ସମାଜସେବା ପାଇଁ ପ୍ରେରଣା ଯୋଗାଇବ ବୋଲି ସେ କହିଥିଲେ।
ଛାତ୍ରଛାତ୍ରୀଙ୍କ ଏଭଳି ଉଦ୍ୟମକୁ ନନ୍ଦିକ ପଞ୍ଚାୟତବାସୀ ମଧ୍ୟ ପ୍ରଶଂସା କରିଛନ୍ତି। ଏହି ଅବସରରେ ନନ୍ଦିକ ସରପଞ୍ଚ କୃଷ୍ଣ ଭଉଳଙ୍କ ସମେତ ପଞ୍ଚାୟତ କର୍ମଚାରୀମାନେ ଉପସ୍ଥିତ ଥିଲେ।
କୁନି ଝିଅର ଜୀବନ ପାଇଁ ଛାତ୍ରଛାତ୍ରୀଙ୍କ ଏହି ଛୋଟ ପଦକ୍ଷେପ ଆଜି ମାନବିକତାର ବଡ଼ ବାର୍ତ୍ତା ଦେଇଛି। ମାନବିକତା ଆଗରେ ବୟସ ହାର ମାନିଲା ପାଠପଢ଼ା ସହ ସମାଜସେବାର ଛୋଟ ପ୍ରୟାସକରି ଯୁବ ପିଢି ପାଇଁ ଏକ ପ୍ରେରଣା ଉଦାହରଣ।କୁନି ଝିଅ ପାଇଁ ଘରେ ଘରେ ପହଞ୍ଚି ସହାୟତା ରାଶି ସଂଗ୍ରହ କରିବା ଛାତ୍ର ଛାତ୍ରୀ ଙ୍କ ସମ୍ବେଦନଶୀଳମନୋଭାବକୁ ପ୍ରମାଣିତ କରିଛି।
BACK TO TOP