Breaking
News
Breaking
News
28-Sep-2026
ଚିଖିଲି ଗାଁରେ ପଶିଲା ବନ୍ୟାଜଳ, ଶହ ଶହ ଏକର ଚାଷଜମି ଜଳମଗ୍ନ
ଓଡିଶା ଜନମତ ବରଗଡ଼ - ମନୋହର ଦାଶ
ମହାନଦୀରେ ବଢ଼ୁଥିବା ଜଳସ୍ତର ଏବେ ଅମ୍ବାଭୋନା ବ୍ଲକବାସୀଙ୍କ ଚିନ୍ତା ବଢିଛି । ନଦୀର ଜଳ ଦୁଇକୂଳ ଲଙ୍ଘିବା ପରେ ବ୍ଲକର ବିଭିନ୍ନ ଗାଁର ଚାଷଜମି ବନ୍ୟାଜଳରେ ବୁଡ଼ିଯାଇଛି। ରବିବାର ସନ୍ଧ୍ୟାରୁ ଚିଖିଲି ଗାଁ ଭିତରକୁ ମଧ୍ୟ ପାଣି ପ୍ରବେଶ କରିବାରୁ ସ୍ଥିତି ଚିନ୍ତାଜନକ ହୋଇପଡ଼ିଛି।
ଉପରମୁଣ୍ଡରେ ଲଗାଣ ବର୍ଷା ଏବଂ ବିଭିନ୍ନ ଡ୍ୟାମରୁ ମହାନଦୀକୁ ଅଧିକ ପରିମାଣର ଜଳ ନିଷ୍କାସନ ଯୋଗୁଁ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇଛି।ଏହାର ପ୍ରଭାବରେ ଚିଖିଲି, ଅନ୍ତରାଡ଼ି, ଗଣ୍ଠିଆପାଲି, ଘୁଘୁରାପାଲି, ବେନିଆଁପାଲି ଓ ବଡ଼ମାଲ ଅଞ୍ଚଳର ବ୍ୟାପକ ଚାଷଜମି ଜଳମଗ୍ନ ହୋଇଛି।ଧାନବିଲରେ ପ୍ରାୟ ୫ ଫୁଟ ପର୍ଯ୍ୟନ୍ତ ପାଣି ଜମିଥିବାରୁ ଚାଷୀଙ୍କ ମୁଣ୍ଡରେ ଚିନ୍ତା ପସିଛି। ଧାନ ସହ ବାଇଗଣ, ପୋଟଳ, ଅଦା, ଧନିଆପତ୍ର, ଲଙ୍କା, ଭେଣ୍ଡି ଓ କଲରା ଭଳି ପନିପରିବା ଫସଲ ମଧ୍ୟ ପାଣି ତଳେ ରହିଛି। ଦୀର୍ଘ ସମୟ ଧରି ଫସଲ ବୁଡ଼ି ରହିଲେ ବ୍ୟାପକ କ୍ଷତି ହେବା ନେଇ ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି।
କେବଳ ଚାଷୀ ନୁହନ୍ତି, ବନ୍ୟାର ପ୍ରଭାବ ମତ୍ସ୍ୟଜୀବୀଙ୍କ ଉପରେ ମଧ୍ୟ ପଡ଼ିଛି। ମାଛଧରା ଜାଲ ଓ ଡଙ୍ଗା ଭାସିଯାଇଥିବା ବେଳେ ଚିଖିଲି ବନ୍ଧ, ପୋଖରୀ ଓ ଗାଡ଼ିଆରେ ବନ୍ୟାପାଣି ପଶିବାରୁ ମାଛଚାଷୀମାନେ ମଧ୍ୟ ଚିନ୍ତିତ ହୋଇପଡ଼ିଛନ୍ତି।
ଏପଟେ ପ୍ରଶାସନ ପକ୍ଷରୁ ବନ୍ୟା ସ୍ଥିତି ଉପରେ ନଜର ରଖାଯାଇଛି। ଅମ୍ବାଭୋନା ଅତିରିକ୍ତ ତହସିଲଦାର ପ୍ରଦୀପ କୁମାର ମେହେର, ଅତିରିକ୍ତ ବିଡିଓ ସରୋଜ ପଧାନ, ବ୍ଲକ ଯୋଗାଣ ଅଧିକାରୀ ପ୍ରଭାତ ପ୍ରଦୀପ୍ତ ଭୋଇ, ନାତୁରା ସରପଞ୍ଚ ବିଜୟଲକ୍ଷ୍ମୀ ଦେହେରା, ଅମ୍ବାଭୋନା ଥାନା ଅଧିକାରୀ ସୌରଭ ଭୋଇ, ସିଡିପିଓ ମାଳତୀ ନାୟକଙ୍କ ସମେତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଛନ୍ତି।ବିପଦପ୍ରବଣ ଅଞ୍ଚଳରୁ ଲୋକଙ୍କୁ ଉଦ୍ଧାର କରି ଗଣ୍ଠିଆପାଲି ବହୁମୁଖୀ ବନ୍ୟା ଆଶ୍ରୟସ୍ଥଳୀରେ ରଖାଯାଇଛି। ୨ ଜଣ ଗର୍ଭବତୀଙ୍କୁ ମଧ୍ୟ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।ଆଶ୍ରୟସ୍ଥଳୀରେ ରନ୍ଧାଖାଦ୍ୟ ସହ ବୃଦ୍ଧବୃଦ୍ଧା, ମହିଳା ଓ ଶିଶୁଙ୍କ ପାଇଁ ବିଶେଷ ବ୍ୟବସ୍ଥା କରାଯାଇଛି। ଚିଖିଲି ଗାଁ ଭିତରକୁ ପାଣି ପ୍ରବେଶ ଜାରି ରହିଥିବା ବେଳେ ଜଳସ୍ତର ମଧ୍ୟ ବଢ଼ୁଥିବା ଜଣାପଡ଼ିଛି। ତେଣୁ ଆଗାମୀ ସମୟରେ ମହାନଦୀର ଜଳସ୍ତର କେଉଁ ଦିଗକୁ ଯାଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର।
BACK TO TOP