Breaking
News
Breaking
News
29-Aug-2026
ଏମଏମଡିଆର ସଂଶୋଧନ ବିଲ୍ ଓଡ଼ିଶା ତଥା ଆଦିବାସୀ ବିରୋଧୀ: କୋରାପୁଟ ସାଂସଦ ସପ୍ତଗିରି ଉଲାକା, ବିଲ୍ ପ୍ରତ୍ୟାହାର ନହେଲେ ଓଡ଼ିଶା ବନ୍ଦ ଚେତାବନୀ
ଓଡିଶା ଜନମତ ରାୟଗଡ଼ା,୨୯/୮,
କାମେଶ୍ୱର କରକରିଆ:---
କେନ୍ଦ୍ର ସରକାରଙ୍କ ଦ୍ୱାରା ସଂସଦରେ ପାରିତ ହୋଇଥିବା ଖଣି ଏବଂ ଖଣିଜ ସଂଶୋଧନ ଆଇନ (ଏମଏମଡିଆର ବିଲ୍) କୁ ତୀବ୍ର ବିରୋଧ କରିଛି ଜିଲ୍ଲା କଂଗ୍ରେସ। ଏହି ସଂଶୋଧନ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ବିରୋଧୀ, ଆଦିବାସୀ ବିରୋଧୀ ତଥା ଅସାମ୍ବିଧାନିକ ବୋଲି କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଶଙ୍କର ଉଲାକା ଏବଂ ରାୟଗଡ଼ା ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଆପଲସ୍ୱାମୀ କାଡ୍ରାକା ଅଭିଯୋଗ କରିଛନ୍ତି। ରାୟଗଡ଼ାସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସାଂସଦ ଶ୍ରୀ ଉଲାକା କହିଛନ୍ତି ଯେ, ସଂସଦରେ ବିନା କୌଣସି ବିସ୍ତୃତ ଆଲୋଚନାରେ ଏହି ବିଲ୍କୁ ଜୋରଜବରଦସ୍ତ ପାରିତ କରାଯାଇଛି। ସୁପ୍ରିମକୋର୍ଟଙ୍କ ୨୦୨୪ ରାୟ ଅନୁଯାୟୀ ରାଜ୍ୟଗୁଡ଼ିକ ଖଣିଜ ଉତ୍ପାଦନ ଉପରେ ଟିକସ ଓ ସେସ୍ ଆଦାୟ କରିବାର ଅଧିକାର ପାଇଥିବା ବେଳେ ଏହି ବିଲ୍ ମାଧ୍ୟମରେ କେନ୍ଦ୍ର ସରକାର ସେହି ଅଧିକାରକୁ ଛଡ଼ାଇ ନେଇଛନ୍ତି। ଫଳରେ ଓଡ଼ିଶା ପ୍ରାପ୍ୟ ଥିବା ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ବକେୟା ରୟାଲଟି ହରାଇବ ଏବଂ ବାର୍ଷିକ ପ୍ରାୟ ୨୦ ରୁ ୨୨ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବ। ଏହାଦ୍ୱାରା ଡିଏମଏଫ୍ (ଜିଲ୍ଲା ଖଣିଜ ପ୍ରତିଷ୍ଠାନ) ପାଣ୍ଠି ହ୍ରାସ ପାଇବା ସହ ଓଡ଼ିଶା ଏକ ରାଜସ୍ୱ ବଳକା ରାଜ୍ୟରୁ ରାଜସ୍ୱ ନିଅଣ୍ଟିଆ ରାଜ୍ୟରେ ପରିଣତ ହେବ। ବାଲିଘାଟ, ପଥର କ୍ୱାରି ଓ ଖଣିଜ ଜମି ଭଳି ରାଜ୍ୟ ତାଲିକାଭୁକ୍ତ ବିଷୟ ଉପରେ କେନ୍ଦ୍ର କବ୍ଜା କରିବାକୁ ଚେଷ୍ଟା କରୁଛି। ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଏହି ବିଲ୍କୁ କିପରି ସମର୍ଥନ କରୁଛନ୍ତି ବୋଲି ସେ ପ୍ରଶ୍ନ କରିବା ସହ ତୁରନ୍ତ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇ ଏହା ବିରୋଧରେ ସଂକଳ୍ପ ପାରିତ କରିବାକୁ ଦାବି କରିଛନ୍ତି। ସେହିପରି ରାୟଗଡ଼ା ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଆପଲସ୍ୱାମୀ କାଡ୍ରାକା କହିଛନ୍ତି ଯେ, କେନ୍ଦ୍ରର ଡବଲ ଇଞ୍ଜିନ ସରକାର ଆଦିବାସୀଙ୍କ ଜଳ, ଜଙ୍ଗଲ ଓ ଜମିକୁ କର୍ପୋରେଟ୍ ହାତକୁ ଟେକିଦେବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି। ବଡ଼ ବଡ଼ ପୁଞ୍ଜିପତିମାନଙ୍କ ହଜାର ହଜାର କୋଟି ଟଙ୍କାର ଋଣ ଛାଡ଼ କରାଯାଉଥିବା ବେଳେ ୫୦ ହଜାର ଟଙ୍କା ଋଣ ପାଇଁ ଗରିବ ଚାଷୀଙ୍କୁ ନୋଟିସ ଜାରି କରି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ କରାଯାଉଛି। ଓଡ଼ିଶାର ସ୍ୱାର୍ଥ ରକ୍ଷା ନିମନ୍ତେ ପ୍ରଦେଶ କଂଗ୍ରେସ କମିଟି (ପିସିସି) ର ନିର୍ଦ୍ଦେଶକ୍ରମେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଆନ୍ଦୋଳନ ସହ ଓଡ଼ିଶା ବନ୍ଦ ଡାକରା ଦିଆଯିବ ବୋଲି ସେ ଚେତାବନୀ ଦେଇଛନ୍ତି।ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନେତା ଶଙ୍କର୍ଷଣ ମଙ୍ଗରାଜ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ନନ୍ଦୀ ଗୌରୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ମୋହନ ନାଏକ, ଦୁଇ ବ୍ଲକ କଂଗ୍ରେସ ସଭାପତି ରାଜେନ୍ଦ୍ର ଦୁରିଆ ଓ ଗାଦିଗା ବାଛେଲି, ଯୁବ ନେତା ହରିଶ ପଟ୍ଟନାୟକ ଏବଂ ବାପି ପଟ୍ଟନାୟକଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ।
BACK TO TOP