Breaking
News
Breaking
News
18-Aug-2026
ସୁନା ଦୋକାନୀ ଉପରେ ପ୍ରତିଶୋଧ ପାଇଁ ଡକାୟତ ଯୋଜନା ପଣ୍ଡ : 5 ଅଭିଯୁକ୍ତ ଗିରଫ l
ସାମ୍ବାଦିକ ସମିଳନୀରେ ଏସଡ଼ିପିଓଙ୍କ ସୂଚନା l
ଓଡିଶା ଜନମତ,ବେଗୁନିଆପଡା, 18/06/26 :
ଭଞ୍ଜ କିଶୋର ମହାରଣା l
ବେଗୁନିଆପଡା ବଜାରରେ ଥିବା ଏକ ସୁନା ଦୋକାନୀ ଉପରେ ପ୍ରତିଶୋଧ ନେବା ସହ ସୁନା ଦୋକାନରୁ ସୁନା ଲୁଟ କରିବା ପାଇଁ ଷଡଯନ୍ତ୍ର କରି ଅପେକ୍ଷା କରିଥିବା 5 ଅଭିଯୁକ୍ତକୁ ପୋଲିସ କାବୁ କରିବା ସହ ସେମାନଙ୍କ ଠାରୁ ବିଭିନ୍ନ ଧାରୁଆ ଅସ୍ତ୍ର, 5 ଟି ଅଫୁଟା ବୋମା, ଦୁଇଟି ନମ୍ବର ବିହୀନ ବାଇକ, ମୋବାଇଲ ଜବତ କରିବା ସହ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଗତ 17 ତାରିଖ ରାତି 8:45 ମି ସମୟରେ ଅଭିଯୋଗକାରୀ ତଥା ବେଗୁନିଆପଡା ଥାନା ଏସ ଆଇ ରାଜେଶ କୁମାର ଛତ୍ରିଆ ସହ ଥାନା କର୍ମଚାରୀ ରଞ୍ଜିତ ବେହେରା, ସୀମାଞ୍ଚଳ ପାତ୍ର, ତିରୁପତି ଶବର ଏବଂ ରବି ମଲ୍ଲିକ ବେଗୁନିଆପଡ଼ାର ମର୍ଦ୍ଦକୋଟ ଲାଇନ ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ 5 ଜଣ ସଶସ୍ତ୍ର ଦୁର୍ବୃତ୍ତ ଦେଉଳିଆପଡ଼ାର ଗେଞ୍ଜାରାପଲିସ୍ଥିତ ମା’ ଆଦିଶକ୍ତି ମନ୍ଦିରରେ ଏକତ୍ରିତ ହୋଇ ଡକାୟତି କରିବାକୁ ପ୍ରସ୍ତୁତ ହେଉଛନ୍ତି ବୋଲି ସୂଚନା ପାଇଥିଲେ। ସୂଚନା ଆଧାରରେ ପୋଲିସ ଚଢ଼ାଉ କରି ସମସ୍ତ 5 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ଏବଂ ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଜବତ କରିଥିଲେ। ଗିରଫ ମାନେ ହେଲେ ବେଗୁନିଆପଡା ବ୍ରାହ୍ମଣ ସାହିର ବାବୁଲା ଆଚାରୀ, ଗୋଳନ୍ଥରା ଥାନା ସିଙ୍ଗାବାଡି ଗ୍ରାମର ଆକାଶ ଗୌଡ଼, ଗୋଳନ୍ଥରା ଥାନା ବଡ଼ କୁସୁମୀ ଗ୍ରାମର ଲୋକନାଥ ପାତ୍ର,ବେଗୁନିଆପଡା ଥାନା ଅନ୍ତର୍ଗତ ଖଣ୍ଡିଆ ନଈ ଗ୍ରାମର ଶାନ୍ତନୁ ପାଳ ଓ ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଲାନ୍ତର ଗ୍ରାମର ଓମ ରଣା। ଏ ନେଇ ବେଗୁନିଆପଡା ଥାନା ପରିସରରେ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୁରୁଷୋତ୍ତମପୁର ଏସ ଡି ପି ଓ ସୁଜିତ କୁମାର ନାୟକ ଓ ବେଗୁନିଆପଡା ଥାନା ଅଧିକାରୀ ଭଗବାନ ପୂଜାରୀ ସୂଚନା ଦେଇଛନ୍ତି।
ସୂଚନା ପ୍ରକାରେ ଅଭିଯୁକ୍ତ ବାବୁଲା ଆଚାରୀଙ୍କର ବେଗୁନିଆପଡ଼ା ହନୁମାନ ବଜାରରେ ଏକ ସୁନା ଓ ରୂପା ମରାମତି ଦୋକାନ ଅଛି। ସେହି ବଜାରରେ ‘ମା’ ଲକ୍ଷ୍ମୀ ଜୁଏଲରୀ’ ନାମକ ଏକ ସୁନା ଦୋକାନ ରହିଛି। ମା’ ଲକ୍ଷ୍ମୀ ଜୁଏଲରୀର ମାଲିକ ଜଣେ ସେଲ୍ସ ବୟଙ୍କୁ ନିଯୁକ୍ତି ଦେଇଥିଲେ। ସେହି ସେଲ୍ସ ବୟ ରାତିରେ ଦୋକାନ ବନ୍ଦ କରିବା ସମୟରେ ନିୟମିତ ଭାବରେ ସୁନା ଅଳଙ୍କାର ଚୋରି କରୁଥିଲେ ଏବଂ ଚୋରି କରାଯାଇଥିବା ସୁନା ବାବୁଲା ଆଚାରୀଙ୍କୁ ବିକ୍ରି କରୁଥିଲେ।ଗତ ଡିସେମ୍ବର ମାସରେ ଚୋରି ସମ୍ପର୍କରେ ଜାଣିବା ପରେ ଦୋକାନ ମାଲିକ ଅଭିଯୁକ୍ତ ବାବୁଲା ଆଚାରୀଙ୍କ ଠାରୁ ସମସ୍ତ ଚୋରି ଜିନିଷ ଉଦ୍ଧାର କରିବାରେ ସଫଳ ହୋଇଥିଲେ। ଏହି ଘଟଣା ଯୋଗୁଁ ବାବୁଲା ଆଚାରୀ ଗଭୀର ଭାବରେ ଅପମାନିତ ଅନୁଭବ କରିଥିଲେ ଏବଂ ମା’ ଲକ୍ଷ୍ମୀ ଜୁଏଲରୀର ମାଲିକଙ୍କ ବିରୁଦ୍ଧରେ ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜୁଥିଲେ।ଏହି ସମୟରେ ଅଭିଯୁକ୍ତ ଶାନ୍ତନୁ ପାଳ ବ୍ରହ୍ମପୁରରେ ପାର୍ଟ-ଟାଇମ୍ ଚାକିରି କରୁଥିବା ଜଣେ ବି.ଟେକ୍ ଛାତ୍ର ଭାବେ ସେଠାରେ ରହୁଥିଲେ। ଅଭିଯୁକ୍ତ ଅଶୋକ ଗୌଡ଼ଙ୍କ ଜଣେ ସମ୍ପର୍କୀୟ ଶାନ୍ତନୁ ପାଳଙ୍କ ସହିତ ରହୁଥିଲେ। ଅଶୋକ ଗୌଡ଼ ପ୍ରାୟତଃ ତାଙ୍କ ରୁମକୁ ଯାଉଥିଲେ ଏବଂ ଶାନ୍ତନୁ ପାଳଙ୍କ ସହିତ ତାଙ୍କର ଘନିଷ୍ଠ ବନ୍ଧୁତା ଗଢ଼ିଉଠିଥିଲା। ବାବୁଲା ଆଚାରୀ ଏବଂ ଶାନ୍ତନୁ ପାଳ ପୂର୍ବରୁ ପରିଚିତ ଥିଲେ। ମା’ ଲକ୍ଷ୍ମୀ ଜୁଏଲରୀ ବିରୁଦ୍ଧରେ ପ୍ରତିଶୋଧ ନେବା ପାଇଁ ସୁଯୋଗ ଖୋଜୁଥିବା ବାବୁଲା ଆଚାରୀ ଦିନେ ବ୍ରହ୍ମପୁର ଯାଇ ଶାନ୍ତନୁ ପାଳଙ୍କୁ ତାଙ୍କ ରୁମରେ ଭେଟିଥିଲେ। ସେଠାରେ ବାବୁଲା ଆଚାରୀ ମା’ ଲକ୍ଷ୍ମୀ ଜୁଏଲରୀର ମାଲିକଙ୍କ ସହ ଘଟିଥିବା ଘଟଣା ସମ୍ପର୍କରେ ଶାନ୍ତନୁଙ୍କୁ କହିଥିଲେ। ଏହି ସାକ୍ଷାତ ସମୟରେ ତାଙ୍କୁ ଶିକ୍ଷା ଦେବା ଏବଂ ପ୍ରତିଶୋଧ ନେବା ପାଇଁ ମା’ ଲକ୍ଷ୍ମୀ ଜୁଏଲରୀ ଦୋକାନରେ ଡକାୟତି କରିବାକୁ ସେମାନେ ଯୋଜନା କରିଥିଲେ।ପରବର୍ତ୍ତୀ ସମୟରେ ସେମାନେ ଅଭିଯୁକ୍ତ ଅଶୋକ ଗୌଡ଼ଙ୍କୁ ତାଙ୍କର ଯୋଜନା ବିଷୟରେ ଜଣାଇଥିଲେ। ଅଶୋକ ଗୌଡ଼ଙ୍କ ବନ୍ଧୁ ଲୋକନାଥ ପାତ୍ର, ଯିଏ ପ୍ରାୟତଃ ତାଙ୍କ ସହିତ ଶାନ୍ତନୁ ପାଳଙ୍କ ରୁମକୁ ଯାଉଥିଲେ, ସେ ମଧ୍ୟ ଏହି ଷଡ଼ଯନ୍ତ୍ରରେ ସାମିଲ ହୋଇଥିଲେ। ଜୁନ୍ ମାସରେ ଶାନ୍ତନୁ ପାଳ ଏକ ସଡ଼କ ଦୁର୍ଘଟଣାର ଶିକାର ହୋଇ ଆହତ ହୋଇଥିଲେ ଏବଂ ତାଙ୍କୁ ବ୍ରହ୍ମପୁରସ୍ଥିତ ଲୋକନାଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଅଭିଯୁକ୍ତ ଓମ୍ ରଣା ତାଙ୍କୁ ଡାକ୍ତରଖାନାରେ ଦେଖା କରିବାକୁ ଯାଇଥିଲେ। ସେହି ଦିନ ଅଶୋକ ଗୌଡ଼ ଏବଂ ଲୋକନାଥ ପାତ୍ର ମଧ୍ୟ ଶାନ୍ତନୁଙ୍କୁ ଦେଖିବା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ। ସେଦିନ ସେମାନଙ୍କର ଓମ୍ ରାଣାଙ୍କ ସହିତ ଦେଖା ହୋଇଥିଲା ଏବଂ ପରବର୍ତ୍ତୀ ସମୟରେ ଷଡ଼ଯନ୍ତ୍ରରେ ସମସ୍ତେ ସାମିଲ ହୋଇଥିଲେ ବୋଲି ପୋଲିସ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି। ବେଗୁନିଆପଡା ଥାନା କେଶ ନମ୍ବର 422 ଅନୁସାରେ ଏହି 5 ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ବୋଲି ପୁରୁଷୋତ୍ତମପୁର ଏସଡ଼ିପିଓ ଶ୍ରୀ ନାୟକ ବେଗୁନିଆପଡା ଥାନା ପରିସରରେ ହୋଇଥିବା ଖବରଦାତା ସମ୍ମିଳନୀରେ ପ୍ରକାଶ କରିଛନ୍ତି।
BACK TO TOP