Breaking
News
Breaking
News
29-Sep-2026
ମାଲିଗୁଡାରେ ରେଳପଥ ପୁନରୁଦ୍ଧାର କାର୍ଯ୍ୟ ଜୋରଦାର
ମହାପ୍ରବନ୍ଧକ କଲେ ସ୍ଥିତି ସମୀକ୍ଷା, ୬୦୦ରୁ ଅଧିକ ଶ୍ରମିକ ନିୟୋଜିତ
ଓଡିଶା ଜନମତ ରାୟଗଡା,୨୯/୯: (କାମେଶ୍ୱର କରକରିଆ): ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ରେଳମଣ୍ଡଳ ଅଧୀନ ବିଭିନ୍ନ ସ୍ଥାନରେ ଭୂସ୍ଖଳନ, ମାଟି ଅତଡ଼ା ଓ ଜଳବନ୍ଦୀ ଯୋଗୁଁ ପ୍ରଭାବିତ ରେଳପଥର ପୁନରୁଦ୍ଧାର କାର୍ଯ୍ୟକୁ ପୂର୍ବତଟ ରେଳପଥ ପକ୍ଷରୁ ତୀବ୍ର କରାଯାଇଛି। ବିଶେଷକରି ମାଲିଗୁଡା ଯାର୍ଡରେ ଭୂସ୍ଖଳନ ଯୋଗୁଁ ବ୍ୟାପକ ପରିମାଣର ମାଟି ଓ ଆବର୍ଜନା ଜମା ହୋଇଥିବାରୁ ଏଠାରେ ପୁନରୁଦ୍ଧାର କାର୍ଯ୍ୟ ଚାଲେଞ୍ଜ ହୋଇଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ୍ ସେପ୍ଟେମ୍ବର ୨୮ରେ ମାଲିଗୁଡା ପରିଦର୍ଶନ କରି ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଥିଲେ। ରାୟଗଡ଼ା ଡିଆରଏମ୍ଙ୍କ ସମେତ ବରିଷ୍ଠ ଅଧିକାରୀମାନେ ମାଲିଗୁଡାର ସ୍ଥିତି, ପୁନରୁଦ୍ଧାରର ଅଗ୍ରଗତି ଓ ରେଳ ଚଳାଚଳ ସ୍ୱାଭାବିକ କରିବା ନେଇ ନିଆଯାଉଥିବା ପଦକ୍ଷେପ ବିଷୟରେ ତାଙ୍କୁ ଅବଗତ କରାଇଥିଲେ।ମାଲିଗୁଡା ଷ୍ଟେସନ ନିକଟରେ ଭୂସ୍ଖଳନ ଯୋଗୁଁ ଟ୍ରାକ୍, ଓଏଚ୍ଇ ଓ ସିଗନାଲିଂ ଭିତ୍ତିଭୂମି ପ୍ରଭାବିତ ହୋଇଛି। ଏହାକୁ ନେଇ ଦିନରାତି ନିରବଚ୍ଛିନ୍ନ ଭାବେ ମାଟି ଓ ଆବର୍ଜନା ହଟାଇବା ସହ ରେଳ ଭିତ୍ତିଭୂମିର ମରାମତି କାର୍ଯ୍ୟ ଚାଲିଛି। ଏଥିପାଇଁ ଭାରୀ ଯନ୍ତ୍ରପାତି ଓ ଅତିରିକ୍ତ ମାନବ ସମ୍ବଳ ନିୟୋଜିତ କରାଯାଇଛି। ପୁନରୁଦ୍ଧାର କାର୍ଯ୍ୟରେ ୬୦୦ରୁ ଅଧିକ ଶ୍ରମିକ, କର୍ମଚାରୀ ଓ ଅଧିକାରୀ ନିୟୋଜିତ ହୋଇଛନ୍ତି। କାର୍ଯ୍ୟସ୍ଥଳରେ ଆଲୋକ, ପାନୀୟ ଜଳ, ଖାଦ୍ୟ, ଅସ୍ଥାୟୀ ଆଶ୍ରୟ, ଶୌଚାଳୟ ଓ ପ୍ରାଥମିକ ଚିକିତ୍ସା ସୁବିଧାର ବ୍ୟବସ୍ଥା କରାଯାଇଛି। କୋରାପୁଟ–ରାୟଗଡ଼ା ଓ କୋରାପୁଟ–ଜୟପୁର ସେକ୍ସନର ଅନ୍ୟ ପ୍ରଭାବିତ ସ୍ଥାନଗୁଡ଼ିକରେ ପୁନରୁଦ୍ଧାର ପରେ ରେଳ ଚଳାଚଳ ସ୍ୱାଭାବିକ କରାଯାଇଥିବା ବେଳେ ମାଲିଗୁଡା ଯାର୍ଡରେ ପୁନରୁଦ୍ଧାର କାର୍ଯ୍ୟ ଜାରି ରହିଛି। ଯାତ୍ରୀଙ୍କ ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ପ୍ରଭାବିତ ରେଳପଥକୁ ଯଥାଶୀଘ୍ର ସୁରକ୍ଷିତ କରି ରେଳ ଚଳାଚଳ ସ୍ୱାଭାବିକ କରିବାକୁ ପୂର୍ବତଟ ରେଳପଥ ପକ୍ଷରୁ ପ୍ରୟାସ ଜାରି ରହିଛି।
BACK TO TOP