Breaking
News
Breaking
News
20-Sep-2026
ଚଳନ୍ତା ଟ୍ରେନ୍ରେ କନ୍ୟା ସନ୍ତାନକୁ ଜନ୍ମ ଦେଲେ ମହିଳା
ଅମ୍ବାଦଳା ଷ୍ଟେସନ୍ରେ ଟ୍ରେନ୍ ଅଟକାଇ ଚିକିତ୍ସା ସହାୟତା, ମା’ ଓ ଶିଶୁ ସୁସ୍ଥ
ଓଡିଶା ଜନମତ ରାୟଗଡ଼ା, ୧୯/୯(କାମେଶ୍ୱର କରକରିଆ): ଚଳନ୍ତା ଟ୍ରେନ୍ରେ ଜଣେ ମହିଳା କନ୍ୟା ସନ୍ତାନକୁ ଜନ୍ମ ଦେଇଥିବା ଘଟଣା ଶନିବାର ଚର୍ଚ୍ଚାର ବିଷୟ ହୋଇଛି। ମୁନିଗୁଡ଼ା ଷ୍ଟେସନ୍ରୁ ଟ୍ରେନ୍ଟି ଛାଡ଼ିବାର କିଛି ସମୟ ପରେ ମହିଳାଙ୍କୁ ହଠାତ୍ ପ୍ରସବ ବେଦନା ହୋଇଥିଲା। ଟ୍ରେନ୍ରେ ଥିବା ସହଯାତ୍ରୀଙ୍କ ସହଯୋଗରେ ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ସୂଚନା ଅନୁଯାୟୀ, ମହିଳା ଜଣକ ଚେନ୍ନାଇରୁ ନିଜ ଘର ବିହାର ଅଭିମୁଖେ ଯାତ୍ରା କରୁଥିଲେ। ସେ ଆଲମ୍ବୁଜା–ଧାନବାଦ ଏକ୍ସପ୍ରେସ୍ରେ ଯାତ୍ରା କରୁଥିବା ବେଳେ ମୁନିଗୁଡ଼ା ଷ୍ଟେସନ୍ ଅତିକ୍ରମ କରିବା ପରେ ହଠାତ୍ ପ୍ରସବ ବେଦନା ଅନୁଭବ କରିଥିଲେ। ଟ୍ରେନ୍ ଚଳନ୍ତା ଅବସ୍ଥାରେ ହିଁ ସେ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଘଟଣା ସମ୍ପର୍କରେ ରେଳ କର୍ତ୍ତୃପକ୍ଷ ଜାଣିବା ପରେ ତୁରନ୍ତ ଅମ୍ବାଦଳା ଷ୍ଟେସନ୍ରେ ଟ୍ରେନ୍କୁ ଅଟକାଯାଇଥିଲା। ଷ୍ଟେସନ୍ ମାଷ୍ଟର ତୁରନ୍ତ ଆମ୍ବୁଲାନ୍ସ ଓ ଚିକିତ୍ସା ସହାୟତା ପାଇଁ ଯୋଗାଯୋଗ କରିଥିଲେ। ସ୍ଥାନୀୟ ସମାଜସେବୀ ମୁକୁନ୍ଦ ତ୍ରିପାଠୀଙ୍କ ସହଯୋଗରେ ଅମ୍ବାଦଳା ମେଡିକାଲ୍ରୁ ଜଣେ ନର୍ସଙ୍କୁ ଷ୍ଟେସନ୍କୁ ଡକାଯାଇଥିଲା। ନର୍ସ ଷ୍ଟେସନ୍ରେ ପହଞ୍ଚି ନବଜାତ ଶିଶୁ ଓ ମା’ଙ୍କୁ ପ୍ରାଥମିକ ଚିକିତ୍ସା ଦେଇଥିଲେ। ଏହି ସମୟରେ ରେଳ ବିଭାଗର ପଏଣ୍ଟସ୍ମ୍ୟାନ୍ ଗୌରାଙ୍ଗ ଗଙ୍ଗାଙ୍କ ସମେତ ଆର୍ପିଏଫ୍ କର୍ମଚାରୀମାନେ ମଧ୍ୟ ଉଦ୍ଧାର ଓ ସହାୟତା କାର୍ଯ୍ୟରେ ସହଯୋଗ କରିଥିଲେ। ପରେ ଆମ୍ବୁଲାନ୍ସ ଷ୍ଟେସନ୍ରେ ପହଞ୍ଚିବା ପରେ ସ୍ଥାନୀୟ ଲୋକ ଓ ରେଳ କର୍ମଚାରୀଙ୍କ ସହଯୋଗରେ ମା’ ଓ ନବଜାତ କନ୍ୟାକୁ ଅମ୍ବାଦଳା ମେଡିକାଲ୍କୁ ନିଆଯାଇ ଭର୍ତ୍ତି କରାଯାଇଥିଲା। ମେଡିକାଲ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ଉଭୟ ମା’ ଓ ଶିଶୁ ସୁସ୍ଥ ଅଛନ୍ତି। ରେଳ କର୍ମଚାରୀ, ମେଡିକାଲ୍ କର୍ମଚାରୀ ଓ ସ୍ଥାନୀୟ ଲୋକଙ୍କ ତତ୍ପରତା ଯୋଗୁଁ ମା’ ଓ ନବଜାତ ଶିଶୁଙ୍କୁ ତୁରନ୍ତ ଚିକିତ୍ସା ସହାୟତା ମିଳିପାରିଥିଲା।
BACK TO TOP