Breaking
News
Breaking
News
05-Jun-2026
ବିଶ୍ୱ ପରିବେଶ ଦିବସରେ ରାୟଗଡ଼ ପୌରପରିଷଦର ଅଭିନବ ପଦକ୍ଷେପ: ସବୁଜ ଓ ସ୍ୱଚ୍ଛ ସହର ଗଠନ ଦିଗରେ ଦୃଢ଼ ପଦକ୍ଷେପ,
ଓଡିଶା ଜନମତ, ରାୟଗଡ଼, ୦୫/୦୬
କାମେଶ୍ୱର କରକରିଆ:-----
ବିଶ୍ୱ ପରିବେଶ ଦିବସ-୨୦୨୬ ଅବସରରେ ରାୟଗଡ଼ ପୌରପରିଷଦ ପକ୍ଷରୁ ଗ୍ରହଣ କରାଯାଇଥିବା ଅଭିନବ ପରିବେଶ ଅନୁକୂଳ ପଦକ୍ଷେପ ସହରବାସୀଙ୍କ ମଧ୍ୟରେ ନୂଆ ଆଶା ସଞ୍ଚାର କରିଛି। ପରିବେଶ ସୁରକ୍ଷା, ଆବର୍ଜନା ପରିଚାଳନା ଓ ସହର ସୌନ୍ଦର୍ଯ୍ୟକରଣକୁ ପ୍ରାଥମିକତା ଦେଇ ପୌରପରିଷଦ ପକ୍ଷରୁ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରାଯାଇଛି, ଯାହା ରାୟଗଡ଼କୁ ଏକ ସବୁଜ ଓ ସ୍ୱଚ୍ଛ ସହର ଭାବେ ଗଢ଼ି ତୋଳିବାରେ ସହାୟକ ହେବ। ଜିଲ୍ଲାପାଳ ଆଶୁତୋଷ ତାଷ କୁଲକର୍ଣ୍ଣୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରିମଳ ଉଦ୍ୟାନର ନବନିର୍ମିତ ମୁଖ୍ୟ ଫାଟକ, ‘ମୋ ବଗିଚା’, ‘ୱେଷ୍ଟ ଟୁ ୱାଣ୍ଡର ପାର୍କ’ ଏବଂ ‘ନିର୍ମାଣ ଓ ଭଗ୍ନଜନିତ ଆବର୍ଜନା ପ୍ରକ୍ରିୟାକରଣ କେନ୍ଦ୍ର’ର ଉଦ୍ଘାଟନ କରିଥିଲେ। ଏହି ପ୍ରକଳ୍ପଗୁଡ଼ିକ କେବଳ ସହରର ସୌନ୍ଦର୍ଯ୍ୟ ବଢ଼ାଇବ ନୁହେଁ, ବରଂ ଆବର୍ଜନାର ସଠିକ୍ ପରିଚାଳନା ମାଧ୍ୟମରେ ପରିବେଶ ସୁରକ୍ଷାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇବ।ମୋ ବଗିଚା’ ପରିସରରେ ଅତିଥିମାନେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାର ସନ୍ଦେଶ ଦେଇଥିଲେ। ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ବର୍ତ୍ତମାନ ସମୟରେ ପରିବେଶ ସନ୍ତୁଳନ ରକ୍ଷା ପାଇଁ ବୃକ୍ଷରୋପଣ ଓ ଆବର୍ଜନାର ପୁନଃବ୍ୟବହାର ଅତ୍ୟନ୍ତ ଜରୁରୀ। ପୌରପରିଷଦ ଦ୍ୱାରା ଗ୍ରହୀତ ଏହି ପଦକ୍ଷେପ ଅନ୍ୟ ସହରଗୁଡ଼ିକ ପାଇଁ ମଧ୍ୟ ଏକ ଆଦର୍ଶ ହୋଇପାରିବ।ପରେ ଅନୁଷ୍ଠିତ ସ୍ୱତନ୍ତ୍ର ପାରିଷଦ ବୈଠକରେ ସହରର ପରିମଳ ବ୍ୟବସ୍ଥା, ଘରୋଇ ଏବଂ ନିର୍ମାଣଜନିତ ଆବର୍ଜନା ପରିଚାଳନା, ସହର ସ୍ୱଚ୍ଛତା ଓ ଜନସହଭାଗିତାକୁ ଆହୁରି ସୁଦୃଢ଼ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ସହରକୁ ଆଗାମୀ ଦିନରେ ଏକ ମଡେଲ ସହର ଭାବେ ଗଢ଼ି ତୋଳିବା ପାଇଁ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।
କାର୍ଯ୍ୟକ୍ରମରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାଜ ପ୍ରସାଦ, ଡିଏଫଓ ସଚିନ ଆନାସାହେବ ଓହୋଲ, ପୌର ଅଧ୍ୟକ୍ଷ ପି. ମହେଶ ପଟ୍ଟନାୟକ, ସମସ୍ତ ପାରିଷଦ ଓ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ପୌରପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ କୁଳଦୀପ କୁମାର ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।ପରିବେଶ ସୁରକ୍ଷା ଓ ଟିକାଉ ସହର ବିକାଶକୁ ନେଇ ରାୟଗଡ଼ ପୌରପରିଷଦର ଏହି ପଦକ୍ଷେପ ସହରବାସୀଙ୍କ ମଧ୍ୟରେ ପ୍ରଶଂସା ସାଉଁଟିଥିବା ବେଳେ, ଏହା ଭବିଷ୍ୟତରେ ରାୟଗଡ଼କୁ ଏକ ସ୍ୱଚ୍ଛ, ସବୁଜ ଓ ପରିବେଶ ଅନୁକୂଳ ସହରରେ ପରିଣତ କରିବାରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।
BACK TO TOP